ରେକର୍ଡ ସ୍ତରରେ ଅଶୋଧିତ ତୈଳ ଦର, ବାରଲପିଛା ହେଲା ୮୫ ଡଲାର, ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନ କ’ଣ?

Published By : Prameya-News7 Bureau | January 25, 2022 IST

ନ୍ୟୁୟର୍କ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଜାରି ରହିଛି। ଗତ ବୁଧବାର ଦିନ ତୈଳ ଦର ୨୦୧୪ ପରେ ସବୁଠୁ ଉଚ୍ଚ ସ୍ତରକୁ ଛୁଇଁଥିଲା। ଏହିପରି ମୂଲ୍ୟବୃଦ୍ଧି ହୁଏତ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ବଜାର ବିଷାରଦ ଆକଳନ କରୁଛନ୍ତି। କରୋନା ଭାଇରସର ଓମିକ୍ରନ ଭାରିଏଣ୍ଟ ପ୍ରକୋପ ସତ୍ତ୍ୱେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି। ଅର୍ଥାତ ମହାମାରୀ ଯୋଗୁ ପେଟ୍ରୋଲିୟମ ପଦାର୍ଥର ଚାହିଦା ଉପରେ ସେପରି କୌଣସି ପ୍ରଭାବ ପଡୁ ନାହିଁ।

ଯଦିଓ ଦେଶ ଦୁନିଆରେ ପେଟ୍ରୋଲିୟମ ଉତ୍ପାଦର ଚାହିଦା କାୟମ ରହିଛି ହେଲେ ତୈଳ ଉତ୍ପାଦକ ଦେଶଙ୍କ ସମୂହ (ଓପେକ) ଉତ୍ପାଦନକୁ ପୂର୍ବସ୍ତରରେ ରଖିଛନ୍ତି। ଏଣୁ ଗତ ୧୦ ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦର ୮୫ ଡଲାର ପାଖାପାଖି ରହୁଛି। ତେବେ ତୈଳ ମୂଲ୍ୟ ବୃଦ୍ଧି ନିକଟ ଭବିଷ୍ୟତରେ ନିୟନ୍ତ୍ରିତ ହେବାର କୌଣସି ଆଶା ଦେଖାଯାଉନି। ଅନ୍ତର୍ଜାତୀୟ ଉତ୍ତେଜନା ଏହାର ଏକ ମୁଖ୍ୟକାରଣ ବୋଲି କୁହାଯାଉଛି।

{"id":579270,"width":841,"height":561,"sizeSlug":"full","linkDestination":"none"}

ଗୋଟିଏ ପଟେ ୟୁକ୍ରେନକୁ ନେଇ ଋଷିଆ ଓ ପାଶ୍ଚାତ୍ୟ ଦେଶମାନେ ମୁହାଁମୁହିଁ ହୋଇଥିବା ବେଳେ ୟେମେନ ଗୃହ ଯୁଦ୍ଧର ନିଆଁ ୟୁଏଇ ପର୍ଯ୍ୟନ୍ତ ବ୍ୟାପିଲାଣି। ଏଥିରେ ଅନ୍ୟତମ ଉତ୍ପାଦକ ଦେଶ ଲିବ୍ୟାରେ ଏବେ ସାଧାରଣ ନିର୍ବାଚନ। ଏଠାରେ ଭୋଟ ଗଣନା ପରେ କେଉଁ ସ୍ଥିତି ହେବ ତା ଉପରେ ସମସ୍ତଙ୍କ ନଜର। ଏଥିରେ ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମେନ ସାକ୍ସ ଚଳିତବର୍ଷ ଅଶୋଧିତ ତୈଳ ବାରଲ ପିଛା ଦର ୯୬ ଡଲାରକୁ ପହଞ୍ଚିବ ବୋଲି ଆକଳନ କରିଛି।

ତୈଳ ଦର ମହଙ୍ଗା ହେବା ନେଇ ଆର୍ଥିକ ସଂସ୍ଥାଙ୍କ ପୂର୍ବନୁମାନ ସହ ଅନ୍ୟ ବିଶେଷଜ୍ଞ ମଧ୍ୟ ସହମତ ଥିବା ଭଳି ଅନୁମାନ କରାଯାଉଛି। ଆଟଲାଣ୍ଟିକ କାଉନସିଲ ଗ୍ଲୋବାଲ ଏନର୍ଜୀ ସେଣ୍ଟର ଉପନିର୍ଦ୍ଦେଶକ ରିଡ ବ୍ଲାକମୋର ନିକଟ ଭବିଷ୍ୟତରେ ଅଶୋଧିତ ତୈଳ ମୂଲ୍ୟ ୮୫ ଡଲାରରୁ ତଳକୁ ଖସିବା ପରି ଲାଗୁ ନଥିବା କହିଛନ୍ତି। ଅନ୍ୟପକ୍ଷରେ ଦର ୯୦ ଡଲାର ପାଖାପାଖି ଚାଲିଯିବା ନେଇ ଆଶଙ୍କା କରିଥିବା ବେଳେ ଅନ୍ୟ ବଜାର ବିଶେଷଜ୍ଞମାନେ ୨୦୨୩ ବେଳକୁ ଅଶୋଧିତ ତୈଳ ବାରଲ ପିଛା ମୂଲ୍ୟ ୧୦୫ ଡଲାରକୁ ଛୁଇଁବ ବୋଲି ଆକଳନ କରୁଛନ୍ତି।

{"id":579271,"width":839,"height":629,"sizeSlug":"full","linkDestination":"none"}

ସେପଟେ ବଜାରରେ ଉପୁଜିଥିବା ପରିସ୍ଥିତିରୁ ତୈଳ ଉତ୍ପାଦକ ଦେଶମାନେ ବେଶ ଲାଭ କମାଉଛନ୍ତି। ତେବେ ସାରା ବିଶ୍ୱରେ ଖାଉଟି ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଆମେରିକାରୁ ଆରମ୍ଭ କରି ଇୟୁରୋପ ଓ ଏସିୟ ଦେଶମାନଙ୍କରେ ଲୋକେ ଚଳିତମାସରୁ ପେଟ୍ରୋଲିୟମ ଓ ଗ୍ୟାସ୍‌ ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି। ପ୍ରଥମରୁ ଇନ୍ଧନ ଦରକୁ ନେଇ ଭାରାକ୍ରାନ୍ତ ଗ୍ରାହକ ଏବେ ଅଧିକ ମୂଲ୍ୟ ଦେବାକୁ ବାଧ୍ୟ ହେଉଛନ୍ତି। ତେବେ ଭାରତରେ ଗତ ୮୦ ଦିନରୁ ଅଧିକ ସମୟ ହେଲା ପେଟ୍ରୋଲିୟମ ପଦାର୍ଥ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ଦେଶରେ ଯଦିଓ ମୂଲ୍ୟବୃଦ୍ଧି ରହିଛି ତେବେ  ଆର୍ଥିକ ଅସ୍ଥିରତା ଭଳି ପରିସ୍ଥିତି ଉପୁଜି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.