ମୃତ CRPF ଯବାନଙ୍କ ପତ୍ନୀ ଗଲେ କୁଆଡେ? ଘରଲୋକ କହୁଛନ୍ତି, ସେ ବାହା ହୋଇନଥିଲେ

Published By : Prameya-News7 Bureau | October 14, 2020 IST

ବଲାଙ୍ଗୀର ୧୪/୧୦ : ଜଣେ CRPF ଯବାନଙ୍କ କୋଭିଡ-୧୯ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ତାଙ୍କ ନ୍ୟାୟିକ ଉତ୍ତରାଧିକାରୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ଆସି ଚକମା ଖାଇ ଯାଇଛନ୍ତି । ମୃତ ଜବାନଙ୍କ କାଗଜରେ ଲେଖା ହୋଇଥିବା ପତ୍ନୀ ଓ ଦୁଇ ସନ୍ତାନଙ୍କୁ ଖୋଜି ପାଇପାରୁ ନାହାଁନ୍ତି । ଜବାନ ଜଣକ ନିଜ ଚାକିରି କାଗଜରେ ବିବାହିତ ବୋଲି ଲେଖିଥିବା ବେଳେ ସେ କେବେବି ବିବାହ କରି ନାହାଁନ୍ତି ବୋଲି ଘରଲୋକେ କହୁଛନ୍ତି । ଏହାକୁ ନେଇ ଏବେ ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ CRPF ଅଧିକାରୀ ମାନେ ୨୪ ଦିନ ହେଲା ତଦନ୍ତ ଚଳାଇଛନ୍ତି ।


ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୁଆପଡା ଗାଁ ର ସୂର୍ଯ୍ୟମଣି ଭୋଇ ଝାରଖଣ୍ଡ CRPF ୧୧ ନମ୍ବର ବାଟାଲିଅନ୍ ରେ ହେଡ କନେଷ୍ଟବଲ ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ପୂର୍ବରୁ ସୂର୍ଯ୍ୟମଣି ଗାଁ କୁ ଆସିଥିଲେ ହେଲେ ଦେହ ଅସୁସ୍ଥ ହେବାରୁ କର୍ମକ୍ଷେତ୍ରକୁ ଫେରି ପାରି ନ ଥିଲେ । ତାଙ୍କ କୋଭିଡ ପରୀକ୍ଷା ପରେ ପଜିଟିଭ ଆସିଥିବା ଯୋଗୁଁ ତାଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଗତ ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ CRPF ବିଭାଗ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମୃତ ଜବାନ ସୂର୍ଯ୍ୟମଣି ନିଜ କାଗଜାତରେ ପିଙ୍କି ଭୋଇ ନାମକ ଜଣେ ଝିଅର ଫଟୋ ଦେଇ ତାଙ୍କୁ ନିଜର ପତ୍ନୀ ଓ ରମେଶ ନାମରେ ପୁଅ ଏବଂ ରୀନା ନାମରେ ଝିଅ ଥିବା ଡିପେଣ୍ଡେଣ୍ଟ କାର୍ଡ ଦାଖଲ କରିଥିଲେ । ଏପରିକି ନିଜ ପତ୍ନୀ ପିଙ୍କିଙ୍କ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲେ । ତେବେ ଏହି ନମ୍ବରରେ ଏବେ ଯୋଗାଯୋଗ ହୋଇପାରୁନାହିଁ । ଏଣୁ ବିଭାଗ ପକ୍ଷରୁ ଜଣେ କର୍ମଚାରୀ ମୃତ ଜବାନଙ୍କ ଗାଁ କୁ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ ସେଠାରେ ସେ ଉଲ୍ଲେଖଥିବା ଉତ୍ତରାଧିକାରୀ ମାନଙ୍କୁ ପାଇ ପାରି ନ ଥିଲେ ।

{"id":344453,"sizeSlug":"large"}


ମୃତ ଜବାନ୍ ସୂର୍ଯ୍ୟମଣିଙ୍କ ପ୍ରକୃତ ପିତା ହେଉଛନ୍ତି ଧୁବେଇ ଚରଣ ବେହେରା , ହେଲେ ଜନ୍ମ ହେବା ପରେ ମାୟାଧର ଭୋଇଙ୍କ ଘରେ ପୌଷ୍ୟପୁତ୍ର ହୋଇଥିଲେ ସୂର୍ଯ୍ୟମଣି । ଏବେ ପୌଷ୍ୟ ନେଇଥିବା ପିତାମାତାଙ୍କ ସହିତ ଜନ୍ମଦାତା ପିତାଙ୍କ ମଧ୍ୟ ମୃତ୍ୟୁ ହୋଇ ସାରିଛି । ଘରେ କେବଳ ମାଁ ପ୍ରଫୁଲ୍ଲ ବେହେରା ଓ ଭାଇ ମାନେ ହିଁ ଅଛନ୍ତି । ସେମାନେ କହିଛନ୍ତି ସୂର୍ଯ୍ୟମଣି ବିବାହ କରି ନ ଥିଲେ କି ତାଙ୍କ କୌଣସି ପୁଅ ଝିଅ ନାହାଁନ୍ତି ।


ତେବେ କିଏ ସତ ଆଉ କିଏ ମିଛ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ମୃତ ଜବାନ କାଗଜାତରେ ନିଜ ଫେକ୍ ଫେମିଲି ଦର୍ଶାଇବା କାରଣ କଣ ? କିନ୍ତୁ ଆଇନତଃ ପିଙ୍କି ଭୋଇ ହିଁ ସରକାରୀ ସହାୟତା ପାଇବା ପାଇଁ ହକଦାର ହୋଇଥିବା ଯୋଗୁଁ ତାଙ୍କୁ ଖୋଜି ବୁଲୁଛି CRPF ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.