ଯବାନଙ୍କ ଉନ୍ମତକାଣ୍ଡ : ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ, ନିଜକୁ ଗୁଳି ମାରି ଗୁରୁତର

Published By : Prameya-News7 Bureau | January 29, 2021 IST

ମାଲକାନଗିରି ୨୯।୧: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରିଲେ । ଜଣେ ଯବାନ ମୃତ ଓ ଦୁଇ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲା ସେଡବା ସିଆରପିଏଫ କ୍ୟାମ୍ପରେ ୨୪୧ ବାଟାଲିୟନରେ ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳି କରି ନିଜକୁ ଗୁଳି ମାରିଥିବା ଜଣାପଡିଛି । ଗୁଳି ମାରିଥିବା ଯବାନ ଜଣଙ୍କ ମାନସିକ ଚିକିତ୍ସା ପାଇଁ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ସେଠାରେ ଯବାନ ଜଣଙ୍କ ଜଣେ ସହଯୋଗୀଙ୍କ ବନ୍ଧୁକ ଛଡାଇ ଆଣି ତାଙ୍କୁ ଗୁଳିମାଡ କରିଥିଲେ । ଏହାସହ ଅନ୍ୟ ଜଣଙ୍କୁ ଗୁଳି ମାଡ କରି ନିଜକୁ ଅନ୍ୟ ଗୁଳି ମାଡ କରିଥିଲେ ।

ଗୁଳିମାଡରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ମୃତ ଯବାନ ଜଣଙ୍କ ହେଲେ ପ୍ରମୋଦ କୁମାର ସୋରୀ । ଗୁରୁତର ଯବାନ ଗିରିଶ କୁମାର ଏବଂ ସନ୍ତୋଷ ବାଚମଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.