ଗୋଟିଏ ବେଦୀରେ ପତ୍ନୀ ଓ ପ୍ରେମିକା : ୨ ମହିଳାଙ୍କୁ ଏକାସାଙ୍ଗେ ବିବାହ କଲେ ସିଆରପିଏଫ ଜବାନ୍
21/05/2019 at 1:41 PM

ଜୈସପୁର ୨୧/୫ : ଛତିଶଗଡ ଜୈସପୁର ଜିଲ୍ଲା ବାଘଡୋଲରେ ଜଣେ ସିଆରପିଏଫ ଜବାନ୍ ୨ ଜଣ ମହିଳାଙ୍କୁ ଏକାସାଙ୍ଗେ ବିବାହ କରିଛନ୍ତି । ୨ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କ ପ୍ରେମିକା । ଆଉ ଜଣେ ହେଲେ ତାଙ୍କ ପତ୍ନୀ । ଅର୍ଥାତ ଜବାନ୍ ନିଜ ପତ୍ନୀଙ୍କୁ ପୁଣିଥରେ ବିବାହ କରିଛନ୍ତି ।

ସିଆରପିଏଫ ଜବାନ୍ ଜଣକ ହେଲେ ଅନିନ୍ ପୈକରା । ଅନିନ୍ ପୁରା ପରମ୍ପରା ଅନୁଯାୟୀ ପ୍ରେମିକା ଓ ପତ୍ନୀଙ୍କୁ ବିବାହ କରିଛନ୍ତି । ବିବାହ ସମ୍ପର୍କରେ ଜାଣି ଆଖପାଖ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନିନ୍ ଗତ ୪ ବର୍ଷ ହେଲା ବିବାହିତ । ବିବାହିତ ହୋଇଥିବା ସତ୍ୱେ ତାଙ୍କୁ ଜଣେ ଅଙ୍ଗନୱାଡି କର୍ମିଙ୍କ ସହ ପ୍ରେମ ହୋଇଯାଇଥିଲା ।

ଜଣେ ସରକାରୀ କର୍ମଚାରୀ ବିବାହିତ ହୋଇଥିବା ସତ୍ୱେ ପୁଣି ବିବାହ କରିବା ଆଇନ ବିରୁଦ୍ଧ । ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ସିଆରପିଏଫ ପ୍ରବକ୍ତା ବି.ସି.ପାତ୍ରଙ୍କ କହିଛନ୍ତି ଯେ, ଅନିନ୍ ଭବିଷ୍ୟତରେ ସମସ୍ୟାରେ ପଡିପାରନ୍ତି । କାରଣ ନିୟମ ଅନୁଯାୟୀ ଜଣେ ଜବାନ୍ ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିପାରିବେ ନାହିଁ ।
ବାଘଡୋଲ ସରପଞ୍ଚ କହିଛନ୍ତି ଯେ, ସେ ଆଗରୁ କେବେ ଏହିଭଳି ବିବାହ ଦେଖିନଥିଲେ । ପ୍ରଥମ ପତ୍ନୀଙ୍କ ଠାରୁ କୌଣସି ସନ୍ତାନ ହୋଇନଥିବା ଅନିନ୍ ଦର୍ଶାଇଛନ୍ତି । ସେଥିପାଇଁ ସେ ଦ୍ୱିତୀୟ ବିବାହ କରିଛନ୍ତି । ତେବେ ଦ୍ୱିତୀୟ ବିବାହ ପାଇଁ ପ୍ରଥମ ପତ୍ନୀ ସହମତି ଦେଇଥିବା କୁହାଯାଉଛି ।