CRPF ହିରୋ କମାଣ୍ଡର ସନ୍ଦୀପ, ଆହତ ହେବା ପରେ ବି ନକ୍ସଲଙ୍କୁ ଦେଇଥିଲେ ମୁହଁତୋଡ଼ ଜବାବ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୫/୪: ଛତିଶଗଡ଼ ବୀଜାପୁର ଏବଂ ସୁକମାରେ ଶନିବାର ନକ୍ସଲମାନଙ୍କ ଗୁଳିରେ ୨୨ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନ, ଡିଆରଜି, ଏସଟିଏଫ ଏବଂ ଜଣେ ବସ୍ତାରିଆ ବାଟାଲିୟନ ଯବାନ ଥିବା ନେଇ ଜଣାପଡ଼ିଛି। ନକ୍ସଲମାନେ ଘେରି ଯାଇ ଯବାନମାନଙ୍କ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଯଦି ସିଆରପିଏଫର ସେକେଣ୍ଡ ଇନ୍‌ କମାଣ୍ଡର ସନ୍ଦୀପ ଦ୍ବିବେଦୀ ଅଦମ୍ୟ ସାହସ ଏବଂ ବୀରତା ଦେଖାଇ ନଥାନ୍ତେ ତେବେ  ଆହୁରି ଅନେକ ଯବାନଙ୍କ ଜୀବନ ଯାଇଥାନ୍ତା।

ଏବେ ସନ୍ଦୀପଙ୍କ ଚିକିତ୍ସା ରାୟପୁରର ଏକ ଘରୋଇ ହସ୍ପିଟାଲରେ ହେଉଛି। ବୀଜାପୁରରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ କୋବ୍ରା ବାଟାଲିୟନ, ଡିଆରଜି ଏବଂ ଏସଟିଏଫର ମିଳିତ ଟିମ୍‌ ବାହାରିଥିଲେ। ଏହି ଅପରେସନକୁ ସିଆରପିଏଫ୍‌ କୋବ୍ରା ବାଟାଲିୟନ୍‌ର ସେକେଣ୍ଡ ଇନ୍‌ କମାଣ୍ଡର ସନ୍ଦୀପ ଦ୍ବିବେଦୀ ଲିଡ୍‌ କରୁଥିଲେ। ଯେତେବେଳେ ନକ୍ସଲାମନେ ଘେରିଯାଇ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ସେତେବେ​‌ଳେ ସନ୍ଦୀପ ଗୁଳି ବର୍ଷା ଏବଂ ମୃତ୍ୟୁର ତାଣ୍ଡବ ମଧ୍ୟରେ ଅଦମ୍ୟ ସାହସ ଏବଂ ବୀରତା ଦେଖାଇଥିଲେ।

ପ୍ରତି ଆକ୍ରମଣ କରିବାକୁ ସାଥି ଯବାନଙ୍କ ସାହସ ବଢ଼ାଇବା ସହ ନକ୍ସଲମାନଙ୍କ ଦ୍ବାରା ଯବାନମାନଙ୍କ ପାଇଁ ଲଗାଯାଇଥିବା ଘାତକ ଆମ୍ବୁସକୁ ଭାଙ୍ଗିବାରେ ସଫଳ ହୋଇଥିଲେ ସନ୍ଦୀପ। ଗୋଟିଏ ପଟେ ସେ ନକ୍ସଲଙ୍କୁ ଜବାବ ଦେଉଥିଲେ ଅନ୍ୟପଟେ ଆହତ ଯବାନଙ୍କୁ ସେଠାରୁ ସୁରକ୍ଷିତ ବାହର କରୁଥିଲେ । ଏହି ସମୟରେ ସନ୍ଦୀପ ନିଜେ ମଧ୍ୟ ଆହାତ ହୋଇଥିଲେ । ବହୁ ସଂଖ୍ୟକ ଯବାନଙ୍କ ଜୀବନ ନେବାକୁ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିବା ସହ ସେମାନଙ୍କ ଚକ୍ରବ୍ୟୁହକୁ ଧ୍ବସ୍ତ କରିପକାଇଥିଲେ ସନ୍ଦୀପ। ସନ୍ଦୀପ ଦ୍ବିବେଦୀ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଶନିବାର ଦିନ ନକ୍ସଲମାନେ ଆମ୍ବୁସ ଲଗାଇ ଯବାନମାନଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଜଣେ ଯବାନଙ୍କ ମୃତଦେହ ମିଳିଥିବା ବେଳେ ବାକି ଯବାନ ନିଖୋଜ ଥିଲେ। ୪ ଏପ୍ରିଲ୍‌ରେ ହୋଇଥିବା ସର୍ଚ୍ଚ ଅପରେସନ୍‌ ବେଳେ ୨୧ ଅନ୍ୟ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ବି ଅନ୍ୟ ଜଣେ ଯବାନ ନିଖୋଜ ଅଛନ୍ତି। ଏହି ଆକ୍ରମଣରେ ୩୧ ଯବାନ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଏବେ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.