ଡାକ୍ତର ନା ଭଗବାନ: ରୋଗୀ ସେବା ପାଇଁ ନଦୀ ପାର ହୋଇ ଜଙ୍ଗଲକୁ ଗଲେ, ଚିକିତ୍ସା ବି କଲେ

Published By : Prameya-News7 Bureau | May 26, 2021 IST

ତିରୁବନ୍ତପୁରମ ୨୬/୫ : କରୋନା ମହାମାରୀରେ ଡାକ୍ତରଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟସେବା ସହିତ ଜଡିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରି ସେମାନେ ନିଜର ଉପଯୋଗୀତା ପ୍ରମାଣ କରିଛନ୍ତି । ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ଯେଉଁଠାରେ ସ୍ୱାସ୍ଥ୍ୟ କର୍ମୀମାନେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ସୀମା ପାର କରିଥିଲେ ।

କୋଭିଡ ପୀଡିତଙ୍କ ନିକଟରେ ପହଞ୍ଚିବା ପାଇଁ ନଦୀ ପାର ହେବା ସହ ଅନେକ କିଲୋମିଟର ଅତିକ୍ରମ କରି ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମସ୍ତଙ୍କୁ ପ୍ରଶଂସା ବି କରିଛନ୍ତି । ସୂଚନା ଅନୁଯାୟୀ, ପାହାଡି ଇଲାକାରେ ଥିବା ମୁରୁଗୁଲାରେ ଦେଖାଦେଇଥିଲା ମହାମାରୀର ସଂକଟ । ପାଲକ୍କଡର ଅଟାପାଡି ଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ଗାଁ ।

ଇରୁଲା, ମୁଦୁଗର ଏବଂ କୁରୁମ୍ବା ଜନଜାତିର ପ୍ରାୟ ୧୦୦ରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ହେଲେ ଗତ ସପ୍ତାହରେ ଗୋଟିଏ ପରିବାରର ତିନି ଜଣ ଲୋକ ଜ୍ୱରରେ ପୀଡିତ ଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ସେମାନଙ୍କର ତୁରନ୍ତ ଚିକିତ୍ସା ମଧ୍ୟ ଦରକାର ଥିଲା । ତେବେ କୌଣସି ସୁବିଧା ନଥିବାରୁ ସେହି ଗାଁକୁ ଚିକିତ୍ସା ସୁବିଧା ପହଞ୍ଚି ପାରୁନଥିଲା । ହେଲେ ଡୋମିସିଲିୟାରି କେୟାର ସେଣ୍ଟରର ଡାକ୍ତରୀ ଦଳ ଏହି ଆଦିବାସୀଙ୍କ ଦୁଃଖ ସମ୍ଭାଳି ନପାରି ସେଠାକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ସେଠାକୁ ଯିବାପାଇଁ କାର ଯୋଗେ ବାହାରିଥିଲେ ତିନିଜଣ ଡାକ୍ତର ଏବଂ ସାଙ୍ଗରେ ଥିଲେ ଡ୍ରାଇଭର ।

ସେମାନେ ଜାଣିନଥିଲେ ଯେ କାରଟି କେବଳ ଭବାନୀ ପୂଜା ନଦୀ କୂଳକୁ ନିଆଯାଇପାରିବ । ଆଉ ଆଗକୁ ନୁହେଁ । ଯିବାକୁ ହେଲେ ସେମାନଙ୍କୁ ନିଜେ ନଦୀ ପାର ହେବାକୁ ପଡ଼ିବ । ତଥାପି ମନରେ ଭୟ ନକରି ନଦୀ ପାର କରିବାକୁ ପଣ କରିଥିଲେ ୨ୟ ଭଗବାନ ବୋଲାଉଥିବା ଏହି ଡାକ୍ତରମାନେ । ଶନିବାର ସକାଳେ ନଦୀ ପାର ହେବା ପରେ ଦଳ ଅଟାପାଡି ଜଙ୍ଗଲରେ ୮ କିଲୋମିଟର ଚାଲିବା ପରେ ଗାଁରେ ପହଞ୍ଚିଥିଲେ ।

ଗାଁକୁ ଆସି ସେ ୩୦ରୁ ଅଧିକ ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୭ ଜଣ କୋଭିଡ ପଜିଟିଭ୍ ଆସିଥିଲେ । ଏବେ ତାଙ୍କୁ ପୁଥୁର ଡିଡିସିରେ ଭର୍ତ୍ତି କରାଯାଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଡାକ୍ତରୀ ଦଳର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.