ହୀରାକୁଦ ମୁଖ୍ୟ ନଦୀବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କାର ଦୁର୍ନିତୀର ଗନ୍ଧ : ମୁଖ୍ୟଯନ୍ତ୍ରୀଙ୍କୁ ଅଭିଯୋଗ ସହ ଭିଜିଲାନ୍ସ ତଦନ୍ତ ଦାବି
1/11/2019 at 5:51 PM

ସମ୍ବଲପୁର ୧|୧୧: ହୀରାକୁଦ ମୁଖ୍ୟ ନଦୀବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ ଶହଶହ କୋଟି ଟଙ୍କାର ଦୁର୍ନିତୀ ହେଉଥିବା ଅଭିଯୋଗ ହୋଇଛି। ଗତ ୨୦ବର୍ଷ ହେଲା ମୁଖ୍ୟ ନଦୀବନ୍ଧର ମରାମତି, ସ୍ବିସ୍ଗେଟ୍ ଓ କ୍ରିଷ୍ଟଗେଟ୍ର ରକ୍ଷଣାବେକ୍ଷଣ, ପୁରୁଣା ଯନ୍ତ୍ରପାତି ଓ ମେସିନ୍କୁ କଲର୍ କରି ତାକୁ ନୂଆ ମେସିନ୍ କିଣାଯାଇଥିବା ବିଲ୍ ଭାଉଚର କରି ସରକାରୀ ଅର୍ଥ ଲୁଟ୍ ଭଳି ଗୁରୁତର ଅଭିଯୋଗ ହୋଇଛି। ଏହି ସମସ୍ତ କାମ ପାଇଁ ବିନା ଟେଣ୍ଡରରେ ଶହ ଶହ କୋଟି ଟଙ୍କାର କାମ ହେଉଛି । ଟେଣ୍ଡର ବାତିଲ୍ କରିବା, ପୁଣି ସମସ୍ତଙ୍କ ଅଜାଣତରେ ଟେଣ୍ଡର ବାହାର କରିବା, ଇ-ଟେଣ୍ଡର ବ୍ୟବସ୍ଥା ଲାଗୁନକରିବା ଭଳି ସଙ୍ଗୀନ୍ ଅଭିଯୋଗ ରହିଛି ମୁଖ୍ୟ ନଦୀବନ୍ଧର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ। ହେଲେ ସବୁଜାଣି ମୁଖ୍ୟଯନ୍ତ୍ରୀ ଅଜଣା ସାଜୁଥିବା ବେଳେ, ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ହୀରାକୁଦ ନଦୀବନ୍ଧକୁ ୬୨ବର୍ଷ ପୁରିଲା। ଏହି ନଦୀବନ୍ଧ ଯେତେ ପୁରୁଣା ଏହାର ମରାମତି, ରକ୍ଷଣାବେକ୍ଷଣରେ ହେଉଥିବା ଦୁର୍ନିତୀ ମଧ୍ୟ ସେତିକି ପୁରୁଣା। ଗତ ୨୦ବର୍ଷ ହେଲା ବିନା ଟେଣ୍ଡରରେ ମୁଖ୍ୟନଦୀବନ୍ଧ, ସ୍ବିସ୍ଗେଟ୍, କ୍ରିଷ୍ଟଗେଟ୍, ୫୦ରୁ ଅଧିକ କ୍ରେନ୍ର ମରାମତି ପାଇଁ ପ୍ରତିବର୍ଷ ହଜାରେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହି ଟଙ୍କା ମୁଖ୍ୟନଦୀବନ୍ଧରେ କାମ କରୁଥିବା କିଛି କର୍ମଚାରୀ ନିଜ ସଂପର୍କୀୟଙ୍କ ନାମରେ ଓ ଗତ ନିର୍ବାଚନରେ ପରାଜୟ ବରଣ କରିଥିବା କିଛି ରାଜନେତା, କର୍ମଚାରୀଙ୍କ ମାଧ୍ୟମରେ ଠିକା ନେଇ ଏହି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିୟମ ରହିଛି ଯେ, ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସରକାରୀ କାମ କଲେ, ଟେଣ୍ଡର କରିବା ବାଧ୍ୟତାମୂଳକ। ହେଲେ ହୀରାକୁଦ ମୁଖ୍ୟନଦୀବନ୍ଧର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ, ଗତ ୨୦ବର୍ଷ ହେଲା ଗୋଟିଏ ବି ଟେଣ୍ଡର କରାଯାଇନାହିଁ, ହେଲେ ୯ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି।

ସେହିପରି ଗତ ୧୬ତାରିଖରେ ବାହାରିଥିବା ଟେଣ୍ଡରକୁ ବାତିଲ୍ କରି, ମାସେ ମହଲତ ନେବା ପଛରେ ଏକ ବିରାଟ ରାକେଟ୍ କାମ କରୁଥିବା ସନ୍ଦେହ ଦୃଢୀଭୁତ ହୋଇଛି। ମୁଖ୍ୟ ନଦୀବନ୍ଧରେ କାର୍ଯ୍ୟରତ କିଛି କର୍ମଚାରୀ, ବିଭାଗୀୟ ଅଧିକାରୀଙ୍କୁ ହାତ କରି, ରାଜନୈତିକ ଚାପ ପ୍ରୟୋଗ କରି, ଏହିସବୁ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ହେଲେ ଏହାର ନା ଅଡିଟ୍ କରାଯାଉଛି ନା, ଭିଜିଲାନ୍ସ ସ୍ତରୀୟ ତଦନ୍ତ। ତେଣୁ ଏଠାରେ ବିନା ଟେଣ୍ଡର ଓ ବିନା କାମ କରି, ସରକାରଙ୍କ ତହବିଲ୍ରୁ କୋଟିକୋଟି ଟଙ୍କା ଚଳୁ କରାଯାଇଥିବା, ମୁଖ୍ୟଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଲିଖିତ ଅଭିଯୋଗ କରିବା ସହ, ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ସବୁ ଜାଣି ହୀରାକୁଦ ନଦୀବନ୍ଧର ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଚୁପ୍ ହୋଇ ବସିପଡିବା ଓ ଏହି ଦୁର୍ନିତୀକୁ ଲୁଚାଇବାକୁ ସବୁସ୍ତରରେ ଚେଷ୍ଟା କରିବା ଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗତମାସ ୧୬ତାରିଖରେ, ପ୍ରଥମଥର ଲାଗି ପ୍ରାୟ ଦେଢକୋଟି ଟଙ୍କାର ଟେଣ୍ଡର ବାହାରିଥିଲା। ସମସ୍ତ ଠିକାଦାର ମାନେ, ଟେଣ୍ଡର ପକାଇଥିଲେ, ହେଲେ ମୁଖ୍ୟନଦୀବନ୍ଧର କିଛି କର୍ମଚାରୀ ଟେଣ୍ଡର ପାଇବା ଆଶା କମ୍ ଥିବାରୁ, ଏହାକୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପ୍ରକୃତରେ କୌଣସି ମରାମତି କାମ କରାଯାଉନାହିଁ। ହୀରାକୁଦ ମୁଖ୍ୟନଦୀବନ୍ଧର ନିର୍ବାହୀଯନ୍ତ୍ରୀ କହିଛନ୍ତି ଯେ, ସେ ଏତେ ବଡ ଦୁର୍ନିତୀ ସଂପର୍କରେ କିଛି ଜାଣନ୍ତିନାହିଁ, ହେଲେ ତାଙ୍କ ପାଖରେ ଯାହା ଖବର ରହିଛି, କିଛିକିଛି ଟେଣ୍ଡର କରାଯାଉଛି, ହେଲେ ସ୍ଥାନୀୟ ଲୋକମାନେ କରିଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ୨୦ବର୍ଷ ହେଲା ବିନା ଟେଣ୍ଡରରେ, କୌଣସି କାମ ନକରି କିପରି କିଛି ସରକାରୀ କର୍ମଚାରୀ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଓ ଏ ସଂପର୍କରେ ସରକାରଙ୍କ ପାଖରେ ତଥ୍ୟ ନାହିଁ ତାହା ଆଶ୍ଚର୍ଯ୍ୟଜନକ ନିଶ୍ଚିତ। ହେଲେ ଏହି ପୁରା ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ, ଏତେବଡ ଘୋଟାଲାର ପର୍ଦ୍ଦାଫାସ ହେବା ସହ, ଏହି ଦୁର୍ନିତୀରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରନ୍ତା ।