କଳାହାଣ୍ଡିରେ ଭୟଙ୍କର ସବସିଡି ସ୍କାମ୍ : ଧାନରୁଆ ମେସିନ ପରେ ଧାନ କଟା ଓ ଅମଳ ମେସିନରେ ମହାଦୁର୍ନୀତି, ବିପିଏଲ ଲୋକଙ୍କ ନାଁରେ ସବସିଡି ଉଠାଇ ଚଳୁ କରିଛି ମେସିନ ଡିଲର୍

Published By : Prameya-News7 Bureau | October 09, 2020 IST

କଳାହାଣ୍ଡି,୦୯|୧୦:  କଳାହାଣ୍ଡିରେ ଧାନରୁଆ ମେସିନ ନାଁରେ ଲକ୍ଷଲକ୍ଷ ଟଙ୍କା ସବ୍‌ସିଡି ହଡ଼ପର ନ୍ୟୁଜ ସେଭେନ ପର୍ଦ୍ଦାଫାଶ କରିଥିବା ବେଳେ, ଏବେ ଧାନକଟା ଓ ଅମଳ ‘କମ୍‌ବାଇନ୍‌’ ମେସିନ୍‌ ନାଁରେ ମହା ଘୋଟାଲାର ଆଭାସ ମିଳିଛି । ବିପିଏଲ୍‌ ଲୋକଙ୍କ ନାଁରେ କେମିତି ଲକ୍ଷାଧିକ ଟଙ୍କାର ସବ୍‌ସିଡି ଉଠାଯାଇଛି, କେମିତି ମେସିନ୍‌ ଡିଲର ସେସବୁ ଚଳୁ କରିଛନ୍ତି ତାର ପୂରା ଚିଠା  ନ୍ୟୁଜ୍‌7 ହାତରେ ଲାଗିଛି । ଡିଲ୍‌ ପଛରେ ସରକାରୀ ବାବୁଙ୍କ ହାତ ଥିବା ନେଇ ଅଭିଯୋଗ ଆସିଛି ।

ବିପିଏଲ୍ ଲୋକଙ୍କ ନାଁରେ ଚଳୁ ହୋଇଛି ଲକ୍ଷାଧିକ ଟଙ୍କାର ସବ୍‌ସିଡି ।  ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମୁଣ୍ଡରାଗୁଡାର ନେତ୍ର ମୋହନ ମାଝୀ । ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଡ ହିତାଧିକାରୀ । ହେଲେ କେନ୍ଦ୍ର ସରକାରଙ୍କ ସରକାରୀ ସବସିଡି କୃଷି ଉପକରଣ ତାଲିକା ୨୦୧୮-୧୯ରେ ଅଛି ନେତ୍ର ମୋହନଙ୍କ ନାଁ ।  ସେ କୁଆଡେ ୨୬ ଲକ୍ଷ ୯୧ ହଜାର ଟଙ୍କା ଦେଇ କମ୍‌ବାଇନ୍‌ ଯନ୍ତ୍ର କିଣିଛନ୍ତି ।  ଯନ୍ତ୍ରପାତି କିଣିବା ପରେ ସରକାରଙ୍କ ତରଫରୁ ମିଳିଥିବା ୬ ଲକ୍ଷର ସବ୍‌ସିଡି ଟଙ୍କା ବ୍ୟାଙ୍କ ଖାତା ଜରିଆରେ ଉଠାଣ କରିଛନ୍ତି । ହେଲେ ଏନେଇ ନେତ୍ର ମୋହନ କ’ଣ କହୁଛନ୍ତି ଶୁଣନ୍ତୁ ।

ସେହିପରି ଜୟପାଟଣା ବ୍ଲକ ମୋହନଗୁଡାର ଅର୍ଜୁନ ମାଝୀ ମଧ୍ୟ ୬ ଲକ୍ଷ ଟଙ୍କା ସବସିଡି ଟଙ୍କା ଉଠାଣ କରିଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ଅର୍ଜୁନଙ୍କୁ କିନ୍ତୁ ଏହି ଘଟଣାର ଗନ୍ଧ ବାସ୍ନା ବି ନାହିଁ । ମାନେ ଅସଲ ଖେଳ ପୂରା ଭିନ୍ନ । ସ୍ଥାନୀୟ ଦଲାଲ ଅନ୍ୟ ଜଣଙ୍କ ମେସିନ ସାମ୍ନାରେ ଏମାନଙ୍କୁ ଛିଡା କରି ଫଟୋ ନେଇ ସବସିଡି ଉଠାଇଛନ୍ତି ।  ସରକାରୀ ଖାତାରେ ଥିବା ଏହି ହିତାଧିକାରୀ ବାସ୍ତବରେ ଏହି ମେସିନ କେବେ ଦେଖି ନାହାନ୍ତି କି ତାକୁ କିଣିବା ସାମର୍ଥ୍ୟ ମଧ୍ୟ ଏମାନଙ୍କର ନାହିଁ । କଳାହାଣ୍ଡି ଜିଲ୍ଲାରେ ଗତ ୪ବର୍ଷ ଧରି ନକଲି ହିତାଧିକାରୀଙ୍କ ନାଁରେ ସବସିଡି ଉଠାଯାଇଛି ।  ଅଳ୍ପ କିଛି ଟଙ୍କାର ଲୋଭ ଦେଖାଇ ଏମାନଙ୍କ ପରି ଅନେକ ଆଦିବାସୀ ଓ ହରିଜନଙ୍କ ନାଁରେ ହୋଇଛି ମହା ଘୋଟାଲା । ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ପଣ୍ଡା ଏଭଳି ପ୍ରାୟ ୨୦ଜଣଙ୍କ ସଂପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।  ତେବେ କଳାହାଣ୍ଡି କୃଷି ଅଧିକାରୀ ନରେନ୍ଦ୍ର କୁମାର ବେହେରା କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଥିବା ବେଳେ ଅଫ୍‌ ଦ କ୍ୟାମେରା କିନ୍ତୁ ବଡ଼ ଖୁଲାସା କରିଛନ୍ତି ।

ପୂର୍ବରୁ ନ୍ୟୁଜ 7 କଳାହାଣ୍ଡି ଜିଲ୍ଲାରେ ଧାନ ରୁଆ ମେସିନ ନାଁରେ ଲକ୍ଷଲକ୍ଷ ଟଙ୍କା ସବସିଡି ହଡପର ପର୍ଦ୍ଦାଫାସ କରିବା ପରେ ତଦନ୍ତ ହୋଇଥିଲା।  ଏହାପରେ ରାଜ୍ୟର ଅନେକ ଜିଲ୍ଲାରୁ କୃଷି ଉପକରଣ ସବସିଡି ଘୋଟାଲା ସାମ୍ନାକୁ ଆସିଥିଲା । ଏବେ ପୁଣି ଏକ ଘୋଟାଲା ଧରା ପଡ଼ିଛି । ତେବେ ସବୁଠୁ ବଡ ପ୍ରଶ୍ନ କିଏ ଓ କିପରି ଏହି ବିପିଏଲ କାର୍ଡଧାରୀଙ୍କ ନାଁରେ ସରକାରଙ୍କ ସବସିଡି ଟଙ୍କା ବାଟ ମାରଣା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.