ଫୋନି ଚାଲିଯାଇଛି ଛାଡି ଯାଇଛି ଅନେକ ଦୁଃଖ ଆଉ ଯନ୍ତ୍ରଣା, ଉଜାଡି ଦେଇଛି ଫସଲ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର ୧୦|୫: ଫୋନି ଚାଲିଯାଇଛି, ହେଲେ ଛାଡି ଯାଇଛି ଅନେକ ଦୁଃଖ ଆଉ ଯନ୍ତ୍ରଣା । ଭାଙ୍ଗି ଦେଇଛି ଚଷା ପୁଅର ମେରୁଦଣ୍ଡ । ଉଜାଡି ଦେଇଛି ଧାନ, ପାନ, ନଡିଆ, କଦଳୀ ସହ ରବି ଫସଲ । ଉଜାଡିଛି କୁକୁଡା ଫାର୍ମ ଆଉ ମାଛ ଚାଷ । ଭାଙ୍ଗିଦେଇଛି ଅନେକଙ୍କ ଆର୍ଥିକ ମେରୁଦଣ୍ଡ । ବର୍ଷ ଯାକର ଆହାର ଛଡ଼େଇନେଇଛି ବାତ୍ୟା । କିଏ କ୍ଷେତକୁ ଚାହିଁ ପାରୁନି ତ ଆଉ କିଏ କ୍ଷେତକୁ ଚାହିଁ ଲୁହ ଗଡ଼ାଇଚାଲିଛି ।

ହେକ୍ଟର ହେକ୍ଟର ଧାନ ଫସଲ ଉଜାଡି ଦେଇଛି ବାତ୍ୟା ଫୋନି । ଭାଙ୍ଗି ଦେଇଛି ଚଷା ପୁଅର ମେରୁଦଣ୍ଡ । ଧାର କରଜ କରି ଯେଉଁ ଫସଲ ଗଣ୍ଡାକ କରିଥିଲା ତାହା ଉଜୁଡି ଯାଇଛି । ଏଭଳି ଦୃଶ୍ୟ ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଦେଖିବାକୁ ମିଳିଛି । କେବଳ ପାଣିରେ ପଡିଥିବା ଧାନ ନୁହେଁ, ଗଛରେ ଥିବା ଧାନ କେଣ୍ଡାରେ ବି ଗଜା ବାହାରି ଯାଇଛି । କିଛି ଚାଷୀ ସେହି ଗଜା ଧାନକୁ କ୍ଷେତରୁ ଆଣି ରାସ୍ତାରେ ଅମଳ କରୁଛନ୍ତି । କେବଳ ବାଲିପାଟଣା ନୁହେଁ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଅନ୍ତା, ନିମାପଡ଼ା, କାକଟପୁର, ଡେଲାଙ୍ଗ, କଣାସ, ନିଆଳି, ଚନ୍ଦନପୁର ଆଦି ଅଞ୍ଚଳରେ । ଏହାସହ ଏକର ଏକର ଜମିରେ ବିରି, ମୁଗ, ବାଦାମ ଭଳି ରବି ଫସଲ ନଷ୍ଟ ହୋଇଛି ।

ଧାନ ସହ ପାନ ଚାଷୀଙ୍କୁ ବି ତଳିତଳାନ୍ତ କରିଛି ଫୋନି । ନିଆଳି, କାଟକପୁର, ଅସ୍ତରଙ୍ଗ, ନିମାପଡା, ଚନ୍ଦନପୁର ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଶହ ଶହ ବରଜ ଭାଙ୍ଗି ମାଟିରେ ମିଶି ଯାଇଛି । ଚାଷୀଙ୍କ ଭାତ ହାଣ୍ଡିକୁ ଭାଙ୍ଗି ଦେଇଛି ବାତ୍ୟା । କୁକୁଡା, ମାଛ ଓ କଦଳୀ ଚାଷୀଙ୍କ ଅବସ୍ଥା ବି ସଂଗୀନ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଗୋଟିଏ ବି କୁକୁଡା ଫାର୍ମ ଭଲ ନାହିଁ । ଲକ୍ଷାଧିକ କୁକୁଡା ମରିଛନ୍ତି । ପୋଖରୀରେ ଗଛ, ପତ୍ର ପଡି ପାଣି ନଷ୍ଟ ହେବାରୁ ମାଛ ମରୁଛନ୍ତି । ଡେଲାଙ୍ଗ, କଣାସ, ପିପିଲି, ସତ୍ୟବାଦୀରେ ନଡିଆ ଚାଷୀଙ୍କୁ ବରର୍ବାଦ କରିଦେଇଛି ବାତ୍ୟା । ଏ ସବୁ ଅଞ୍ଚଳରେ ଗୋଟିଏ ବି ଗଛ ଅକ୍ଷତ ନାହିଁ ।

ଚାଷ ଓ ଚାଷୀଙ୍କ ଉପରେ ଦାଉ ସାଧିଛି ପ୍ରକୃତି । ଭାଙ୍ଗି ଦେଇଛି ଚଷା ପୁଅର ମେରୁଦଣ୍ଡ । ଏମିତି ସମୟରେ ଚାଷୀଙ୍କୁ ପ୍ରଶାସନର ସହାୟତା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.