କେନ୍ଦ୍ରାପଡାରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ଫୋନି, ଉଜୁଡ଼ି ଯାଇଛି ଶହ ଶହ ଏକର ରବି ଫସଲ

Published By : Prameya-News7 Bureau | May 12, 2019 IST

କେନ୍ଦ୍ରାପଡ଼ା ୧୨|୫: କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ଫୋନି | ଫୋନିରେ ଉଜୁଡ଼ି ଯାଇଛି ଶହଶହ ଏକର ଜମିର ରବି ଫସଲ | କୋର ପଞ୍ଚାୟତରେ ମୁଗ ବିରି ଚାଷ ବ୍ୟାପକ ନଷ୍ଟ ହୋଇଯିବା ପରେ ହତାଶ ହୋଇପଡିଛନ୍ତି ଚାଷୀ । ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ।

{"id":111174}

ଫସଲ ଉପର ଫୋନି ମାଡ । କେନ୍ଦ୍ରାପଡା ଜିଲ୍ଲାରେ ଫୋନି ଉଜାଡି ଦେଇଛି ରବି ଫସଲ । ପବନ ମାଡରେ ଜମିରେ ନଷ୍ଟ ହୋଇ ଯାଇଛି ମୁଗ ବିରି । ଅମଳ ବେଳକୁ ଜମିରେ ଲୋଟିଛି ଗଛ । କେନ୍ଦ୍ରାପଡ଼ା ବ୍ଲକ୍ କୋର ପଞ୍ଚାୟତରେ ଶହ ଶହ ଏକର ଚାଷ ଜମିରେ ଏବେ ଦେଖିବାକୁ ମିଳୁଛି ଏଭଳି ସମାନ୍ ଚିତ୍ର । ଜମିରେ ଫାଟି ଯାଇଥିବା ମଞ୍ଜି ଏବେ ଗଜା ହେଲାଣି | ଚାଷୀର ଝାଳ ବୁହା ପରିଶ୍ରମ ମାଟିରେ ମିଶିଯାଇଛି ।  ଦିନ କେଇଟା ପରେ ମୁଗ ବିରି ଅମଳ ହୋଇ ଖଳାକୁ ଯାଇଥାନ୍ତା । ଉଜୁଡା ଫସଲ ଦେଖି ଚାଷୀର ଛାତି ଫାଟି ଯାଉଛି ।

{"id":111175}

କୋର ପଞ୍ଚାୟତ ର ପାଳକଣା ଗାଁ ର ପ୍ରାୟ ଦୁଇ ଶହ ଏକର ଜମିରେ ହୋଇଥିଲା ରବି ଫସଲ । ଧାର୍ କରଜ କରି ଚାଷୀ ଚାଷ କରିଥିଲା | ଏବେ ଋଣ କେମିତି ସୁଝିବ ସେ ନେଇ ଚିନ୍ତାରେ ପଡିଛି । ତେବେ ଜିଲ୍ଲାରେ ମୋଟ ୧୩୭୦ ହେକ୍ଟର ଜମିରେ ଡାଲୁଅ ଧାନ, ୨୧୬୧ ହେକ୍ଟର ଜମିରେ ଖରାଦିନିଆ ପରିବl, ୧୦୨ ହେକ୍ଟର ଜମିରେ ପାନ, ୨୯୩୧ ହେକ୍ଟର ଜମିରେ ମୁଗ ଚାଷ ପ୍ରଭାବିତ ହୋଇଥିବା ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି | କ୍ଷୟକ୍ଷତି ଅକଳନ ଚାଲିଛି ଖୁବ୍ ଶୀଘ୍ର ଚାଷୀ କ୍ଷତିପୂରଣ ପାଇବେ ବୋଲି ସେ  କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.