ବନ୍ୟା ପାଣିରେ ଭିତରକନିକାରୁ ଭାସି ଆସିଲେ କୁମ୍ଭୀର, କେନ୍ଦ୍ରାପଡାର ବନ୍ୟା ପ୍ରଭାବିତ ଗାଁ ଲୋକଙ୍କୁ ଘାରିଲା ଭୟ

Published By : Prameya-News7 Bureau | August 30, 2020 IST

ଭୁବନେଶ୍ଵର ୩୦।୦୮: ବନ୍ୟା ଯୋଗୁଁ ନଦୀ କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଆଉଲ, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକବାସୀଙ୍କୁ ଘାରିଛି କୁମ୍ଭୀର ଆକ୍ରମଣର ଭୟ। କାରଣ ବନ୍ୟା ପାଣିରେ ଭିତରକନିକା ଅଭୟାରଣ୍ୟରୁ କୁମ୍ଭୀର ଭାସି ଆସି ଗାଁ ଗଣ୍ଡାରେ ପଶିଯିବାର ଆଶଙ୍କା ରହିଛି।

ବନ୍ୟା କାରଣରୁ ଭିତରକନିକା ଜାତୀୟ ଅଭୟାରଣ୍ୟରୁ ଅନେକ କୁମ୍ଭୀର ବ୍ରାହ୍ମଣୀ, ଖରସ୍ରୋତା ଓ କାନି ନଦୀରେ ବହି ଆସିଛନ୍ତି। ତିନି ବ୍ଲକର ଗାଁ ଗୁଡିକରେ କୁମ୍ଭୀର ଭାସି ଆସିଥିବା ଦେଖିବାକୁ ମିଳିଛି। ଯାହା ପରେ ଏହି ସବୁ ବ୍ଲକବାସିନ୍ଦାଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ବର୍ତ୍ତମାନ ବନ୍ୟା ପ୍ରଭାବିତ ଅଞ୍ଚଳ ଲୋକଙ୍କ ପାଇଁ ନିରାପଦ ନୁହେଁ। ତେଣୁ ଆମେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଭିତରକନିକା ଜାତୀୟ ଅଭୟାରଣ୍ୟର ଡିଏଫଓ  ବିକାଶ ରଞ୍ଜନ ଦାଶ କହିଛନ୍ତି। ଜଙ୍ଗଲ ବିଭାଗର କର୍ମଚାରୀ ପ୍ରଭାବିତ ଅଞ୍ଚଳରେ କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ଡିଏଫଓ କହିଛନ୍ତି ବର୍ତ୍ତମାନ ବନ୍ୟା ପ୍ରଭାବିତ ଅଞ୍ଚଳରେ କୁମ୍ଭୀର ଆକ୍ରମଣ କୌଣସି ବ୍ୟକ୍ତି ଆହତ ହୋଇଥିବା ଖବର ଆସିନାହିଁ। ଜଳସ୍ତର କମିଗଲେ ସରୀସୃପ ଅଭୟାରଣ୍ୟରେ ଥିବା ବାସସ୍ଥାନକୁ ଫେରି ଆସିବେ ବୋଲି ସେ କହିଛନ୍ତି।

କୁମ୍ଭୀରକୁ ନଦୀରେ ପଶିବାକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ଅଭୟାରଣ୍ୟ ନିକଟ ନଦୀ କୂଳରେ ଥିବା ଗାଁର ପ୍ରାୟ ୩୫ଟି ଘାଟରେ ବ୍ୟାରିକେଟିଂ କରିଛନ୍ତି। କିନ୍ତୁ ଅନେକ ବ୍ୟାରିକେଡ୍ ବନ୍ୟାରେ ଭାସି ଯାଇଛି। ସ୍ଥିତିରେ ସୁଧାର ଆସିଲେ ପୁଣି ଥରେ ଏହି ସବୁ ଘାଟରେ ବ୍ୟାରିକେଡର ପୁନଃନିର୍ମାଣ କରାଯିବ ବୋଲି ଦାସ କହିଛନ୍ତି।

ଦେବୀ ନଦୀର ବନ୍ୟା ଜଳରେ କୁମ୍ଭୀର ଦେଖିବାକୁ ମିଳିବା ପରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନଉଗାଅଁ ଓ ବିରିଡି ବ୍ଲକର ଗ୍ରାମବାସୀଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଶୁକ୍ରବାର ଦିନ ନଉଗାଅଁ ବ୍ଲକର ଭାଣ୍ଡିସାହିରେ ଏକ ୨୦ ଫୁଟ୍ ଲମ୍ବାର କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି। ଗତ ସପ୍ତାହରେ ବିରିଡିର ଆଲିପଡା ଗାଁର ମହିଳାମାନେ ନଦୀରେ ଗାଧୋଇବା ସମୟରେ  କୁମ୍ଭୀର ଦେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.