କୁମ୍ଭୀର-ମଣିଷ ଲଢେଇ : ୧୨ ବର୍ଷରେ ଗଲାଣି ୨୬ ନୀରିହ ଜୀବନ, ଆତଙ୍କିତ ରାଜନଗରବାସୀ

Published By : Prameya-News7 Bureau | October 28, 2021 IST

ପଟ୍ଟାମୁଣ୍ଡାଇ ୨୮/୧୦: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା। ଭାରତର ସବୁଠୁ ଅଧିକ ବଉଳା କୁମ୍ଭୀର ଭିତରକନିକାରେ ଦେଖିବାକୁ ମିଳେ। ଭିତରକନିକାର ଡାଙ୍ଗମାଳ ଠାରେ ବଉଳାର ପ୍ରଜନନ କେନ୍ଦ୍ର ରହିଛି। ପ୍ରତି ବର୍ଷ ଏମାନେ ବସା କରି ଅଣ୍ଡା ଦେବା ସହ କୁମ୍ଭୀର ଛୁଆ ଫୁଟୁଛି। କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ  କିନ୍ତୁ ଭୟ ଓ ଆତଙ୍କିତ ଭାବେ ଜୀବନ ବିତାଉଛି। ଗତ ୧୨ ବର୍ଷ  ଭିତରେ  ୨୬ ଜଣଙ୍କୁ ନଦୀକୁ ଟାଣି ନେଇ ମାରିଛି କୁମ୍ଭୀର ।

ମାତିଛନ୍ତି ମଣିଷ ଖିଆ ମଗର। ୧୨ ବର୍ଷ  ଭିତରେ ୨୬ ଜଣଙ୍କୁ କରିଛନ୍ତି ଶିକାର। ରାଜନଗର, ପଟ୍ଟାମୁଣ୍ଡାଇ , ମହାକାଳପଡା ପ୍ରଭୃତି ଅଂଚଳରେ ଏବେ ଆତଙ୍କ ବଢିବାରେ ଲାଗିଛି। ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ରାଜନଗର,ପଟ୍ଟାମୁଣ୍ଡାଇ ଓ ମହାକାଳପଡା ଅଞ୍ଚଳବାସୀ ଶିକାର ହେଉଛନ୍ତି।  ଗତ ତିନିମାସ ଭିତରେ ୩ ଜଣଙ୍କୁ ଟାଣିନେଇଛି। ଗତ ଜୁନରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ଫରେଷ୍ଟ ବ୍ଲକ ନିକଟ ନଦୀକୁ ମାଛ ଧରିବାକୁ ଯାଇଥିଲେ ଭେକ୍ଟା ଗାଁର ଉମାରାଣି ପରିଡା। ମାଛ ଧରିବା ସମୟରେ ତାଙ୍କୁ ଝାମ୍ପି ନେଇଥିଲା ବିଶାଳକାୟ ବଉଳା। କିଛି ଦିନ ପରେ ସେହି ଗାଁର ପୁରୁଷୋତ୍ତମ ଧଳଙ୍କୁ ଟାଣି ନେଇଥିଲା କୁମ୍ଭୀର।

ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ଲୋକମାନେ ନଦୀ ଉପରେ ନିର୍ଭରଶୀଳ। ଏହି ସମସ୍ଥ ଅଚଂଳରେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣ ନଳକୂପ ନଥିବାରୁ ନଦୀ ଉପରେ ନିର୍ଭର କରିଥାି ନଦୀ କୂଳିଆ ଗାଁ ଲୋକେ ।ମାତ୍ର ଆବଶ୍ୟକ ପରିମାଣ ରେ ଗାଧୁଆ ତୁଠ ସରକାରଙ୍କ ଦ୍ବାରା ନିର୍ମାଣ ହୋଇନଥିବାରୁ ଏହିପରି  ଦୁର୍ଘଟଣାର ଶିକାର ହେଉଛି ସ୍ଥାନୀୟ ଲୋକେ  ।  ଅନ୍ୟପଟେ ନଦୀ ପାଣିରେ ମାଛ ଧରି ଅନେକ ଲୋକ ଜୀବିକା ନିର୍ବାହ କରୁଥିବା ବେଳେ ଘାସ ପାଇଁ ନଦୀ ନାଳ ପାରି ହୋଇ ବିଲ ବାଡିକୁ ଯାତାୟତ କରିଥାନ୍ତି। ଏଭଳି ଘଡିସନ୍ଧି ପରିସ୍ଥିତିରେ ଏହି ଅଂଚଳର ନଦୀକୂଳିଆ ଲୋକେ ଜୀବନ ବିତାଉଥିବା ବେଳେ ନିଦାବିଷ୍ଣୁ ସାଜିଛି ରାଜନଗର ବନବିଭାଗ। 

ପ୍ରତିଦିନ ଏହି ଅଞ୍ଚଳରେ ଏହିଭଳି କୁମ୍ଭୀର-ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କୁମ୍ଭୀର ଏବେ ଜନବସତି ମୁହାଁ। ଗତ ୨୦ ବର୍ଷରେ  ଭିତରକନିକା ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ କୁମ୍ଭୀର ପାଟିରେ ଗଲାଣି। କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଥିଲା ବେଳେ ଗୁରୁତର ହେଲେ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାତ୍ର ଜାତୀୟ ଉଦ୍ୟାନ ଭିତରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କଲେ ବା ଶବ ମିଳିଲେ ବନବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦିଆଯାଉନାହିଁ। ଏହି ଆଳରେ ଅନେକ ମୃତାହତ ବ୍ୟକ୍ତି ବନବିଭାଗ ଖାତାକୁ ଆସୁନି । ଅନ୍ୟପଟେ ନଦୀ ଗୁଡିକ ମୁକୁଳା ପଡିଛି। ନଦୀରେ ଜଳସ୍ତର ବଢିଲେ ଲୋକଙ୍କ ହୃଦସ୍ପନ୍ଦନ ବଢିଯାଉଛି। ଏ ଦିଗରେ ବନବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.