କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ନିଆରା ସମ୍ମାନ, Golden Foot 2020 ପୁରସ୍କାର ଜିଣିଲେ ପର୍ତ୍ତୁଗୀଜ୍ ଫୁଟବଲର
21/12/2020 at 5:36 PM

ନୂଆଦିଲ୍ଲୀ ୨୧/୧୨: ଫୁଟବଲ ଦୁନିଆର ବାଦଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ। ରୋନାଲ୍ଡୋଙ୍କ ଖେଳ ଶୈଳୀ ବିଶ୍ବର ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରେ। ଜଣେ ସଫଳତମ ଫୁଟବଲର ହୋଇଥିବା ବେଳେ ରୋନାଲ୍ଡୋ ଜଣେ ବହୁତ ଭଲ ମଣିଷ। ଅସହାୟ ଲୋକଙ୍କ ପାଇଁ ରୋନାଲ୍ଡୋଙ୍କ ହୃଦୟ ସବୁ ବେଳେ ଖୋଲା। ସବୁବେଳେ ଗରିବ ଲୋକଙ୍କୁ ସେ ସାହାଯ୍ୟ କରୁଥିବା ଦେଖିବାକୁ ମିଳେ। ରୋନାଲ୍ଡୋ ବିଶ୍ବର ଜଣେ ଶୀର୍ଷ ଫୁଟବଲର। ଖେଳରେ ଯେମତି ସ୍ବଭାବରେ ବି ସେମିତି। ଯେଉଁଥିପାଇଁ ତାଙ୍କୁ ମିଳିଛି ସମ୍ମାନଜନକ ଗୋଲ୍ଡେନ ଫୁଟ୍ (ସୁନାର ପାଦ) ୨୦୨୦ ପୁରସ୍କାର।
ଗୋଲ୍ଡେନ୍ ଫୁଟ୍ ଆଓ୍ବାର୍ଡ ଅନ୍ତର୍ଜାତୀୟ ଫୁଟବଲ୍ ପୁରସ୍କାର। ଏହି ପୁରସ୍କାର ଖେଳରେ ସଫଳତା ପାଇଥିବା ଓ ନିଜର ଭଲ ସ୍ବଭାବ ପାଇଁ ଜଣେ ଖେଳାଳିଙ୍କୁ ମିଳିଥାଏ। ଏହି ପୁରସ୍କାର ଜଣେ ଆକ୍ଟିଭ୍ ଖେଳାଳିଙ୍କୁ ମିଳୁଥିବା ବେଳେ ଖେଳାଳିଙ୍କ ବୟସ ଅତି କମରେ ୨୮ ହୋଇଥିବା ଆବଶ୍ୟକ। ଗୋଲ୍ଡେନ୍ ଫୁଟ୍ ଆଓ୍ବାର୍ଡ ଜଣେ ଖେଳାଳିଙ୍କୁ କେବଳ ଥରେ ହିଁ ମିଳିପାରିବ।
ତେବେ ଏହି ପୁରସ୍କାର ପାଇବା ପରେ ଟ୍ବିଟ୍ କରି ନିଜର ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିକଟରେ ପାର୍ମା ବିପକ୍ଷରେ ଗୋଲ୍ ସ୍କୋର କରି ଓମାର ସିଭୋରିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ।