ପିଲାଙ୍କ ପାଠ ପଢ଼ା ପାଇଁ ମାଆ ବିକ୍ରି କରି ଦେଲେ କାନଫୁଲ, ବାପା ବିକ୍ରି କରି ଦେଲେ ଗାଈ: ଅନ୍‌ଲାଇନ୍ ପାଠ ପଡ଼ୁଛି ମହଙ୍ଗା

Published By : Prameya-News7 Bureau | July 27, 2020 IST

ଉଦଳା୨୭/୭: ରାଜ୍ୟରେ ଗରିବ ପିଲାଙ୍କ ପାଇଁ ପ୍ରହସନ ପାଲଟିଛି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା । କରୋନା ମହାମାରି ପାଇଁ ସରକାର ଅନଲାଇନ୍ ଶିକ୍ଷାକୁ ଏକମାତ୍ର ବିକଳ୍ପ ବ୍ୟବସ୍ଥା କରିଥିବା ବେଳେ ଗରିବ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ । ତେଣୁ କେହି ଗରିବ ବାପା ମା ନିଜ ଗାଈ ବିକି ତ ଆଉ କେହି କାନଫୁଲ ବିକି ପିଲାଙ୍କ ସ୍ମାର୍ଟ ଫୋନ୍ ଦେଇଛି । ଯାହାର ପାଖେ କିଛି ନାହିଁ ସେମାନଙ୍କ ପାଠ ପଢାରୁ ବଞ୍ଚିତ ।

ପୁଅ ଝିଅଙ୍କ ପାଠପଢା ପାଇଁ ମା ବିକିଦେଲା ସୁନା କାନଫୁଲ । କରୋନା କାଳରେ ଅନଲାଇନ୍‌ ପାଠପଢା ପାଇଁ କଟକ ଜିଲ୍ଲା ସାଲେପୁରରୁ ଏମିତି ଖବର ଆସିଛି । ସାଲେପୁର ବଟେଶ୍ବର ଗାଁର ଅଷ୍ଟମ ଶ୍ରେଣୀରେ ପଢୁଥିବା  ଅର୍ଚ୍ଚିତା ଭୋଇ । ତାର ଏବଂ ସାନ ଭାଇର ପାଠ ପଢପାଇଁ ଦିନ ମଜୁରିଆ ବାପା ପାଖରେ ଅର୍ଥର ଅଭାବ । ସରକାର ଅନଲାଇନ୍ ପାଠପଢା ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ଆବଶ୍ୟକ ଆଣ୍ଡ୍ରାଏଡ୍‌ ମୋବାଇଲ୍ , କମ୍ପୁଟର କିମ୍ବା ଲାପଟପ୍‌ । ହେଲେ ଗରିବ ବାପା ମାଙ୍କ ପାଖେ ପିଲାଙ୍କ ପାଠ ପଢା ପାଇଁ ବାଧ୍ୟ ହୋଇ କାନଫୁଲ ବିକ୍ରି କରି ଆଣ୍ଡ୍ରଏଡ୍‌ ମୋବାଇଲ କିଣିଛନ୍ତି । କେବଳ ଅର୍ଚ୍ଚିତାଙ୍କ କଥା ନୁହେଁ ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ନାପଟୁଆଁ ଗାଁର ଦଶମ ଶ୍ରେଣୀରେ ପଢୁଥିବା ବର୍ଷାରାଣୀ ପାଇଁ ଗରିବ ବାପା ରମେଶ ଚନ୍ଦ୍ର ଦାସ ନିଜ ପ୍ରିୟ ଗାଈଟିକୁ ବିକ୍ରି କରି ଆଣ୍ଡ୍ରଏଡ୍‌ ମୋବାଇଲ କିଣିଛନ୍ତି । କରୋନା ଏମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ହେଲେ ପିଲାମାନଙ୍କ ଭବିଷ୍ୟତ ପାଇଁ ଏଭଳି କରିବା ବ୍ୟତୀତ ଆଉ ସେମାନଙ୍କ ପାଖରେ ଚାରା ନାହିଁ ।

ଉଦଳାର ଜଣେ ଛାତ୍ର । ଘରେ ବାପାଙ୍କ ଗୋଟିଏ ମୋବାଇଲ୍‌ରେ ଭାଇ ଭଉଣୀଙ୍କୁ ଆଡଜଷ୍ଟ କରି ପଢିବାକୁ ପଡୁଛି । ଆଉ ଯେତେବେଳେ ବାପା ମୋବାଇଲ୍ ନେଇ ପଳାଇ ଯାଉଛନ୍ତି ସେତେବେଳେ ଉଭୟଙ୍କ ପାଠ ପଢା ଠପ୍‌ । କେବଳ ଏମାନେ ନୁହନ୍ତି ଏମିତି ରାଜ୍ୟର ଅନେକ ଗରିବ ପରିବାର ପିଲାମାନଙ୍କ ଅନଲାଇନ୍ ପାଠ ପଢା ପାଇଁ ନାନା ହଇରାଣ ହେବାକୁ ପଡୁଛି । କେଉଁ ବାପା-ମାଆ କାନ ଫୁଲ ବିକି ବିକୁଛି ତ ଆଉ କିଏ ନିଜର ମୂଲ୍ୟବାନ ଗହଣାଗାଣ୍ଠି । ଯାହାର କିଛି ନାହିଁ ସେମାନଙ୍କ ପିଲା ପାଠ ପଢାରୁ ସଂପୂର୍ଣ୍ଣ ବଞ୍ଚିତ । ଆଉ ଏହା ରାଜ୍ୟରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପକୁ ପଦାରେ ପକାଇଛି ।

ଏକ ଆକଳନରୁ ଜଣାପଡିଛି ରାଜ୍ୟରେ ୨୮ ପ୍ରତିଶତ ପିଲା ସ୍ମାର୍ଟ ଫୋନ୍‌ ଧରିବାକୁ ସକ୍ଷମ ଥିବା ବେଳେ ୭୧ ପ୍ରତିଶତ ପିଲା ଦାମିକା ଫୋନ୍ ଧରିବାକୁ ଅସମର୍ଥ । ଫଳରେ ଅନଲାଇନ୍ ଶିକ୍ଷା ଏହିପିଲାମାନଙ୍କ ପାଇଁ ଏକପ୍ରକାର ଉପହାସ ଲାଗିଛି । ସେହିପରି ରାଜ୍ୟର ୪୩ ପ୍ରତିଶତ ପିଲାଙ୍କ ପାଖରେ ଟିଭି ନାହିଁ । ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌ ଅଛି କି ନା ତାର ଆକଳନ ନକରି ସରକାର ଅନଲାଇନ୍ ପାଠପଢା ଭାବେ ବିକଳ୍ପ ବ୍ୟବସ୍ଥା କରିଥିବାରୁ ଏହାକୁ ଅନେକ ସମାଲୋଚନା ବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.