ରଙ୍ଗ ବଦଳାଇଲେ ସିନ୍ଧିଆ, ସଙ୍କଟରେ କମଲ ନାଥ, ପାଗ ଭିଡିଲାଣି ବିଜେପି...

Published By : Prameya-News7 Bureau | March 10, 2020 IST

ମଧ୍ୟପ୍ରଦେଶ୧୦/୩: ମଧ୍ୟପ୍ରଦେଶରୁ ହଟିବ କମଲନାଥ ସରକାର। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ବାଏ ବାଏ କରିବା ପରେ ତାଙ୍କ ସମର୍ଥନରେ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଏବେ ସଂକଟରେ ପଡ଼ିଛି କମଲନାଥ ସରକାର। ଫଳରେ ହିନ୍ଦି ହାର୍ଟଲ୍ୟାଣ୍ଡର ଯେଉଁ ୩ ପ୍ରମୁଖ ରାଜ୍ୟକୁ ବିଜେପି କିଛି ମାସ ତଳେ ହରାଇଥିଲା ସେଥିରୁ ମଧ୍ୟପ୍ରଦେଶକୁ ପୁଣି କବ୍‌ଜା କରିବାକୁ ବାଟ ଫିଟିଛି। ସେପଟେ ତୀବ୍ର ଗୋଷ୍ଠୀ କନ୍ଦଳ ପାଇଁ ମଧ୍ୟପ୍ରଦେଶ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟକୁ ନିଜ ହାତରୁ ହରାଇବାକୁ ଯାଉଛି କଂଗ୍ରେସ। 

{"id":236218,"sizeSlug":"large"}

ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ । କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ତାଙ୍କର ଜଣେ ପରେ ଜଣେ ସମର୍ଥକ ଇସ୍ତଫା ଦେବାରେ ଲାଗିଛନ୍ତି । ଏ ପର୍ଯ୍ୟନ୍ତ ୨୨ କଂଗ୍ରେସ ବିଧାୟକ ଦଳ ଛାଡିଲେଣି । ଫଳରେ ମାତ୍ର କେଇ ମାସ ତଳେ ମଧ୍ୟପ୍ରଦେଶରେ ଗଢାଯାଇଥିବା କମଳନାଥ ସରକାର ଗାଦିଚ୍ୟୁତ ହେବାକୁ ଯାଉଛି।

{"id":236219,"sizeSlug":"large"}

ଦଳରୁ ଇସ୍ତଫା ଦେଇଥିବା  କଂଗ୍ରେସର ୨୨ ବିଧାୟକ ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସାରିଛନ୍ତି ।  ଆଉ କିଛି ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କମଳନାଥ ସରକାର ଏବେ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଛି । ଏମିତିକି ସମାଜବାଦୀ ପାର୍ଟିର ଜଣେ ଓ ବିଏସ୍‌ପିର ୪ ଜଣ ବିଧାୟକ ଶିବରାଜ ସିଂହ ଚୌହାନଙ୍କୁ ଭେଟି ସରକାରକୁ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସର ନେତାମାନେ କମଳନାଥ ସରକାରକୁ ବଞ୍ଚାଇବା ଆଶା ଛାଡି ଦେଲେଣି ।

{"id":236220,"sizeSlug":"large"}

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ସେ ଚିଠିରେ ଲେଖିଥିଲେ ଯେ ଏବେ କଂଗ୍ରେସକୁ ପରିତ୍ୟାଗ କରି ଆଗକୁ ବଢିବାର ସମୟ ଆସିଛି । ଆଜି ସକାଳୁ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବିଜେପିରେ ମିଶିବା ନେଇ ସ୍ପଷ୍ଟ ସଂକେତ ମିଳିଛି । ଶୁଣାଯାଉଛି ସିନ୍ଧିଆଙ୍କୁ ରାଜ୍ୟସଭା ପଠାଇ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ।

{"id":236222,"sizeSlug":"large"}

 ସେପଟେ ତାଙ୍କର ସମର୍ଥକଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯିବ । ସିନ୍ଧିଆଙ୍କ କାନ୍ଧରେ ବନ୍ଧୁକ ଥୋଇ କମଳନାଥ ସରକାରକୁ ହଟାଇବାକୁ ବିଜେପି ଯେଉଁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛି ତାକୁ ନେଇ ରାଜ୍ୟରୁ ଜାତୀୟ ରାଜନୀତି ସରଗରମ ହୋଇଛି । ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ଏହାକୁ ନେଇ ବାକ୍‌ ଯୁଦ୍ଧ ଜୋରଦାର ହୋଇଥିବା ବେଳେ କଂଗ୍ରେସ ଦଳର ଅନ୍ତଃ କନ୍ଦଳ ପଦାରେ ପଡିଛି ।             

{"id":236223,"sizeSlug":"large"}

ମଧ୍ୟପ୍ରଦେଶ ବିଧାନସଭା ଆସନ ଗଣିତ ଦେଖିଲେ ମୋଟ ୨୩୦ ସିଟ୍‌ରୁ ୨ଟି ସିଟ୍‌ ଖାଲି ପଡିଛି । ବାକି ୨୨୮ ସିଟ୍‌ରୁ ୧୧୫ ସଂଖ୍ୟା ଯାହା ପାଖରେ ରହିବ ସେ ସରକାର ଗଠନ କରିପାରିବ । ହେଲେ କଂଗ୍ରେସରୁ ୨୨ ବିଧାୟକ ଇସ୍ତଫା ଦେବାପରେ ଦଳର ବିଧାୟକଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି  ଯାହାକି ବିଜେପିର ୧୦୯ ସିଟ୍ ସଂଖ୍ୟାରୁ ବହୁତ ପଛରେ। ଯେହେତୁ କଂଗ୍ରେସ ବିଧାୟକଙ୍କ ଇସ୍ତାଫା ଜାରି ରହିଛି, ମଧ୍ୟପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବା ଚର୍ଚ୍ଚା ଜୋର ଧରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.