ସଙ୍କଟରେ ଇମ୍ରାନ ସରକାର, କରୋନା ସହ ମୁକାବିଲା କରିବାକୁ ନାହିଁ ଯଥେଷ୍ଟ ଅର୍ଥ : ଅସୁବିଧା ସମୟରେ ଚୀନକୁ କରିଥିଲେ ସାହାଯ୍ୟ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦/୦୩ : କରୋନା ଯୋଗୁଁ ପାକିସ୍ତାନ ଘୋର ସଙ୍କଟରେ ରହିଛି। ଏଯାଏଁ ୩୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି | ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ରୋଗୀ ସିନ୍ଧ ରାଜ୍ୟର | କେବଳ ସିନ୍ଧରେ ୨୦୮ ଜଣ ଆକ୍ରାନ୍ତ ହୋଇଛନ୍ତି | ଏହାଛଡା ପଞ୍ଜାବରେ ୩୩, ଖେବରରେ ୧୯, ବେଲୁଚିସ୍ତାନରେ ୨୩, ଇସ୍ଲାମଵାଦରେ ୨ ଓ ଗୁଲାମ କାଶ୍ମୀର ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି | ପାକିସ୍ତାନରେ ଏବେଯାଏଁ କରୋନାରେ ଜଣକର ମୃତ୍ୟୁ ହୋଇଛି | ଆକ୍ରାନ୍ତଙ୍କୁ ବଞ୍ଚାଇବା ପାଇଁ ଇମ୍ରାନ ଖାନ ସରକାରଙ୍କ ପାଖରେ ଯଥେଷ୍ଟ ଅର୍ଥ ନାହିଁ କି ଆବଶ୍ୟକୀୟ ମେଡିକାଲ ଉପକରଣ ମଧ୍ୟ ନାହିଁ |

ଇମ୍ରାନ ଖାନ ନିଜେ ଏହା ସ୍ୱୀକାର କରିଛନ୍ତି | ଇମ୍ରାନଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଥିଲା | ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଦେଶର ଋଣ କ୍ଷମା କରି ଦିଆଯାଉ ବୋଲି ସେ ନିବେଦନ କରିଥିଲେ | ମଙ୍ଗଳବାର ଦିନ ଟିଭିରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ଏବଂ ପାକିସ୍ତାନ ଏକ ଗରିବ ଦେଶ ବୋଲି ନିଜେ କହିଥିଲେ | ଅନ୍ୟ ଦେଶ ଭଳି ପାକିସ୍ତାନରେ ଲକ ଡାଉନ କରାଯାଇପାରିବନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ | ଲକ ଡାଉନ କଲେ ସହରବାସୀ ଭୋକ ଉପାସରେ ମରିଯିବେ ବୋଲି ଇମ୍ରାନ କହିଛନ୍ତି | ଏଭଳି କଲେ ଦେଶବାସୀ ଭୋକ ଉପାସରେ ପ୍ରାଣ ହରାଇବେ ବୋଲି କହିଥିଲେ|

ପାକିସ୍ତାନ ସ୍ଥିତି ଧୀରେ ଧୀରେ ଅଧିକ ଖରାପ ହେବାରେ ଲାଗିଛି | ଫେବୃଆରୀ ମାସରେ ଇମ୍ରାନ ଖାନ ଚୀନକୁ ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇଥିଲେ | ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଖବରରୁ ଏହା ସ୍ପଷ୍ଟ ହୋଇଥିଲା | ଖବର ସମ୍ପର୍କରେ ସକାରାତ୍ମକ ଭାବ ପ୍ରକାଶ କରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ଥିବା ଚୀନ ସ୍ପଷ୍ଟ କରିଥିଲା | ତେବେ ଏଠାରେ ପ୍ରଶ୍ନ ଉଠୁଛି, କରୋନା ଯେତେବେଳେ ସମଗ୍ର ଦେଶରେ ନିଜର କାୟା ବିସ୍ତାର କରିସାରିଥିଲା ସେତେବେଳେ ପାକିସ୍ତାନ କାହିଁକି ଆଖି ବନ୍ଦ କରି ବସିଥିଲା ? ସେତେବେଳେ ଆବଶ୍ୟକୀୟ ଜିନିଷ କାହିଁକି ଷ୍ଟକ ରଖିନଥିଲା ? ଏବେ ସ୍ଥିତି ଖରାପ ହେବା ପରେ ଇମ୍ରାନ ଦେଶକୁ ଗରିବ କହି ସାହାଯ୍ୟ ଭିକ୍ଷା କରୁଛନ୍ତି |

ସୂଚନାଯୋଗ୍ୟ ଯେ, ପାକିସ୍ତାନ ରାଷ୍ଟ୍ରପତି ବୁଧବାର ଦିନ ଚୀନରୁ ଫେରିଛନ୍ତି | ସେ ଦୁଇ ଦିନିଆ ଗସ୍ତରେ ଚୀନ ଯାଇଥିଲେ | କରୋନା ମୁକାବିଲା କରିବା ପାଇଁ ଚୀନ ତାଙ୍କୁ ପୁରା ସାହାଯ୍ୟ କରିବ ବୋଲି ପ୍ରତିଶୃତି ଦେଇଛି | ଏହି ପ୍ରତିଶୃତି ସହ ପାକିସ୍ତାନ ଫେରିଛନ୍ତି | 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନା ଭାଇରସ ସ୍ୱର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି | ଏଯାଏଁ ୧୬୬ ଦେଶକୁ ଏହି ଭାଇରସ ମାଡି ସାରିଲାଣି | ଏଯାଏଁ ବିଶ୍ୱର ୮୬୫୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ୨ ଲକ୍ଷ ୭ ହଜାର ୮୬୦ ଜଣ ଆକ୍ରାନ୍ତ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.