ଗରିବଙ୍କ ମଧ୍ୟରେ ବଣ୍ଟାଯିବ ଅପରାଧୀଙ୍କ ଟଙ୍କା ଏବଂ ସଂପତ୍ତି, ଶିବରାଜ ସରକାର ଆଣୁଛନ୍ତି ନୂତନ ଆଇନ

Published By : Prameya-News7 Bureau | September 10, 2021 IST

ଭୋପାଳ ୧୦।୦୯: ଅପରାଧୀଙ୍କ ଉପରେ ଲାଗିବ ଲଗାମ। ଏଥିପାଇଁ ଶୀଘ୍ର ଆସିବ ନୂଆ ଆଇନ। ଏହା କହିଛନ୍ତି ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର। ସେ ଶୁକ୍ରବାର କହିଛନ୍ତି, ଏହି ଆଇନ ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ଆକ୍ଟଠୁ ବି ଅଧିକ କଠୋର ରହିବ। ଏହି ଆଇନରେ ଅପରାଧୀଙ୍କ ଟଙ୍କା ଏବଂ ସଂପତ୍ତି ଗରିବଙ୍କ ମଧ୍ୟରେ ବଣ୍ଟାଯିବାର ପ୍ରାବଧାନ ରହିବ।

ଭୋପାଳରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନରୋତ୍ତମ ମିଶ୍ର କହିଛନ୍ତି, ଗୃହ ଓ ଆଇନ ବିଭାଗ ବିଲ୍‌ର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଏକାଠି ମିଶି କାମ କରୁଛନ୍ତି। ଏହି ଆଇନ ଜରିଆରେ ସଂଗଠିତ ଅପରାଧକୁ ଟାର୍ଗେଟ୍ କରାଯିବ। ସେ କହିଛନ୍ତି, ଖଣି ମାଫିଆ, ମଦ ମାଫିଆ, ଜମି ମାଫିଆ ଏବଂ ଅନ୍ୟ ସାମାଜିକ ଗୋଷ୍ଠୀ ଏହି ବିଲ୍‌ ପରେ ରାଜ୍ୟରେ ନିଶେଷ ହୋଇଯିବେ।

ମିଶ୍ର କହିଛନ୍ତି, ଡ୍ରାଫ୍ଟ ବିଲ୍‌ରେ ସରକାର ଅପରାଧୀଙ୍କ ସଂପତ୍ତି ଜବତ କରିବାର ମଧ୍ୟ ପ୍ରାବଧାନ ରହିଛି। ଜବତ ଧନ ଏବଂ ସଂପତ୍ତିକୁ ଗରିବଙ୍କ ମଧ୍ୟରେ ବଣ୍ଟାଯିବାର ପ୍ରାବଧାନ ମଧ୍ୟ କରାଯାଉଛି। ମାମଲାର ଶୀଘ୍ର ଶୁଣାଣି ପାଇଁ ସ୍ଵତନ୍ତ୍ର କୋର୍ଟ ତିଆରି ହେବ ଏବଂ ସାକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ନିୟମ କରାଯିବ। ଅପରାଧୀମାନଙ୍କୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ସାହାଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଦଣ୍ଡିତ କରାଯିବାର ପ୍ରାବଧାନ ଏହି ବିଲ୍‌ରେ କରାଯିବ ବୋଲି ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.