ଯୁବକର ମୁଣ୍ଡକାଟି ଫୁଟବଲ୍ ଖେଳୁଥିବା ଅପରାଧିକୁ ମାରିବାକୁ ନିଜ ପୁଅଦେଲା ସୁପାରୀ, ମୁହଁରେ ତକିଆ ପକାଇ ମାରିଦେଲେ ଗୁଳିକରି ସୁପାରୀକିଲର

Published By : Prameya-News7 Bureau | January 19, 2019 IST

ଜାମସେଦପୁର ୧୯/୧- ଯିଏ ଅନ୍ୟର ମୁଣ୍ଡକାଟି ରାସ୍ତାରେ ଫୁଟବଲ ଖେଳିପାରେ, କଥାକଥାକେ ବନ୍ଧୁକରୁ ଗର୍ଜାଇପାରେ ଗୁଳି , ଆଖିପତା ପକାଇବା ବେଳକୁ ପେଟରେ ଭୁଷିଦେଇଥାଏ ଧାରୁଆ ଛୁରୀ –ସେହିଭଳି ଅପରାଧୀକୁ ପୁଣି ସୁପାରୀ ଦେଇ ମାରିବା କମ୍ କଥା ନୁହେଁ ।  ଏମିତି ଏକ ଘଟଣା ଜାମସେଦପୁରରେ ଘଟିଛି, ହତ୍ୟା କରି ଆତଙ୍କ ଖେଳାଉଥିବା ବହୁ ଚର୍ଚ୍ଚିତ ଅପରାଧି ରମୁଆକୁ ନିଜ ପୁଅ ସୁପାରୀ ଦେଇ କରିଛି ହତ୍ୟା ।

ରାମମୂର୍ତ୍ତି ଦିଆର ଓରଫ ରମୁଆ ଦକ୍ଷିଣ ଭାରତର ମୂଳ ବାସିନ୍ଦା ହେଲେ ବି କୋଲକାତାରେ ରହୁଥିଲା । କୋଲକାତା ସମେତ ଝାରଖଣ୍ଡ, ଜାମସେଦପୁର ଆଦି ସ୍ଥାନରେ ଥିଲା ଅପରାଧିକ ନେଟଓ୍ଵାର୍କ । ସେ ଅନେକ ଆଖିଦୃଶିଆ ଅପରାଧ କରି ପୋଲିସ ଲେନସରେ ପାଲଟିଯାଇଥିଲା ଜଣେ ମୋଷ୍ଟଓ୍ଵାଣ୍ଟେଡ଼ ଅପରାଧୀ । ଅନେକ ହତ୍ୟା, ଡ଼କାୟତି, ରାହାଜାନି, ପୋଲିସ ଏନକାଉଁଟରକୁ ସାମନା କରିଥିବା ରମୁଆ ଥିଲା ଅପରାଧର ବେଫିକର ନାୟକ । ଏମିତିକି ରମୁଆକୁ ସାମନା କରିବାକୁ କାହାର ବି ଶକ୍ତି ନ ଥିଲା । ରମୁଆ ହାଓ୍ଵଡ଼ା ଅଂଚଳରେ ଥିଲା ଅନେକ ଦବଦବା । ସେ ଜଣେ ଯୁବକର ମୁଣ୍ଡ କାଟି ଦିନ ଦି-ପହରେ ଫୁଟବଲ ଖେଳିବା ଭଳି ଜଘନ୍ୟ ହତ୍ୟାକାଣ୍ଡର ଘଟଣା ଲୋକ ଭୁଲିପାରିନାହାଁନ୍ତି ଆଜିଯାଏଁ । ରମୁଆ ନାଁ ଶୁଣିଲେ ଲୋକ ଛାନିଆଁ ଖାଉଥିବା ବେଳେ ତାଙ୍କୁ କାହିଁକି କରାଗଲା ହତ୍ୟା ?

ଏହି ହତ୍ୟାକାଣ୍ଡ ପଛରେ କାହିଁକି ନିଜ ସ୍ତ୍ରୀ କାଜଲ ଓ ପୁତ୍ର ସମୀର ସାମିଲ ଥିଲେ ଆସନ୍ତୁ ଜାଣିବା ।

ରମୁଆ ବାହାରେ ହତ୍ୟା, ଡ଼କାୟତି କରୁଥିଲେ ବି ଘରେ କମ୍ ନ ଥିଲା ଉତ୍ପାତ । ସେ ସବୁବେଳେ ସ୍ତ୍ରୀ କାଜଲ ଓ ପୁଅ ସମୀରକୁ ମଧ୍ୟ ମାନସିକ- ଶାରୀରିକ ଯନ୍ତ୍ରଣା ଦେଉଥିଲା । ରମୁଆର ଅପରାଧିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଅନେକଥର ଜେଲ୍ ଯାଇଥିଲା । ଘରେ ମଧ୍ୟ ଶାନ୍ତିରେ ସ୍ତ୍ରୀ ଓ ପୁଅକୁ ଶାନ୍ତିରେ ରଖେଇ ଦେଉ ନଥିଲା । ତା ପରେ ରମୁଆର ଅତ୍ୟାଚାର ଏତେ ବଢ଼ିଯାଇଥିଲା ପରିବାର ଲୋକ ମଧ୍ୟ ମୁଣ୍ଡ ଟେକି ବାଟ ଚାଲିପାରୁ ନ ଥିଲେ ।

ସମୀରର ପ୍ରଶାନ୍ତ ନାମକ ଜଣେ ମେକାନିକାଲ ଇଂଜିନିୟର ସାଙ୍ଗ ଥିଲା । ସେମାନେ ପିଲାବେଳୁ ସାଙ୍ଗ ଥିଲେ । ପ୍ରଶାନ୍ତ ଇଂଜିନିୟରିଂ ସାରିବା ପରେ  ନିଶା ଖାଇବା ସହ ବିଭିନ୍ନ ଅପରାଧିକ କାମରେ ସାମିଲ ଥିଲା । ସମୀର ନିଜ ବାପା ରମୁଆକୁ ମାରିବାକୁ ପ୍ରଶାନ୍ତ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା । ଏହି ଯୋଜନାର ମୁଖ୍ୟଲୋକ ଥିଲା ରମୁଆର ସ୍ତ୍ରୀ କାଜଲ ।

ସେମାନେ ଯୋଜନା ଅନୁସାରେ ରମୁଆକୁ ତକିଆ ମୁହଁରେ ଚାପି ମୁଣ୍ଡରେ ଗୁଳି କରିଦେଇଥିଲେ । ଏହି ହତ୍ୟାକାଣ୍ଡ ପଛରେ କାଜଲ. ସମୀର, ପ୍ରଶାନ୍ତ ସହ ୩/୪ଜଣ ପ୍ରଶାନ୍ତର ସହଯୋଗୀ ଯୁବକ ମଧ୍ୟ ଥିଲେ । ଏଥିପାଇଁ ସେମାନଙ୍କୁ ୩ ଲକ୍ଷ ଟଂକା ମଧ୍ୟ କାଜଲ ଦେଇଥିଲେ ।  

ଏହି ହତ୍ୟାକାଣ୍ଡ ସହ ଜଡ଼ିତ ଥିବା ରମୁଆର ସ୍ତ୍ରୀ କାଜଲ, ପୁଅ ସମୀର, ସାଙ୍ଗ ପ୍ରଶାନ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.