Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀ ଓ ସାଙ୍ଗଙ୍କ କଳିରେ ବାଉଳା କ୍ରାଇମ୍‌ବ୍ରାଞ୍ଚ, ବିଦ୍ୟାଶ୍ରୀ ସତ ନା ପପୁ-ବିକାଶ ମିଛ ?

2/08/2020 at 8:48 AM

ଭୁବନେଶ୍ୱର ୦୨।୦୮: ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା । ଦିନକୁ  ଦିନ ମୃତ୍ୟୁର ରହସ୍ୟ ଅଡ଼ୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି । ରହସ୍ୟରୁ ପରଦା ହଟାଇବାକୁ ଅଣ୍ଟା ଭିଡି଼ଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭରୁ ଝୁଣ୍ଟିଛି । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ସହଯୋଗୀ ପପୁ-ବିକାଶଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ଚାଲିଛି । ଏହା ଭିତରେ ତଦନ୍ତକାରୀ ଟିମ୍‌ ଫସି ଯାଇଛି । କାହା କଥା ସତ ତାହା ଠଉରାଇ ପାରୁନି । ତଦନ୍ତର ୩ ଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ଘଟଣାରେ ସିଧା ଲିଙ୍କ୍‌ ଥିବା ବିଦ୍ୟାଶ୍ରୀ ଓ ପପୁ-ବିକାଶଙ୍କୁ ଜେରା କରିସାରିଛି । ଏମାନେ ପରସ୍ପର ଉପରେ ଦୋଷ ଲଦି ଜିଆର୍‌ପି ପୁଲିସ ଭଳି କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ମଧ୍ୟ ବାଉଳା କରିବା ଆରମ୍ଭ କରିଛନ୍ତି । ପ୍ରଥମ ଦିନ ଜେରାରେ ବିଦ୍ୟାଶ୍ରୀଙ୍କ ସହ ମନୋମାଳିନ୍ୟ ହିଁ ଆଦିତ୍ୟଙ୍କ ଅବସାଦର ଏକମାତ୍ର କାରଣ ବୋଲି ପପୁ ଓ ବିକାଶ ତଦନ୍ତକାରୀ ଟିମ୍‌କୁ କହିଛନ୍ତି । ବିଦ୍ୟାଶ୍ରୀଙ୍କ ଉପରକୁ ସିଧା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେପଟେ ଗତକାଲିର ମାରାଥନ୍‌ ଜେରା ବେଳେ ଟିମ୍‌ ସାମ୍ନାରେ ବିଭିନ୍ନ ତଥ୍ୟ ରଖି ପପୁ ଓ ବିକାଶଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇଛନ୍ତି ବିଦ୍ୟାଶ୍ରୀ । ଟିମ୍‌ ସାମ୍ନାରେ ସେ ପ୍ରଶ୍ନ ଉଠାଇଛନ୍ତି, ଜୁଲାଇ ୭ ତାରିଖରୁ ଆଦିତ୍ୟଙ୍କ ଧୋତି ଓ ନାଲି ରଙ୍ଗର ଟି-ସାର୍ଟର ସନ୍ଧାନ ମିଳୁନି । ଘଟଣା ପୂର୍ବ ଦିନ ଆଦିତ୍ୟ ଏହାକୁ ପିନ୍ଧି ତାଙ୍କ ସହ ମନ୍ଦିର ଯାଇଥିଲେ।

ଏହାଛଡ଼ା ପ୍ରତିଦିନ ଏମାନେ ବିଭିନ୍ନ ଆଳ ଦେଖାଇ ‘ପିପୁଲ ଫର୍‌ ସେବା’ ଫାଉଣ୍ଡେସନ୍‌ର ଟଙ୍କା ନେଇ ଖର୍ଚ୍ଚ କରୁଥିଲେ । ବିଦ୍ୟାଶ୍ରୀଙ୍କ ମୁଣ୍ଡ ଖେଳାଇବା ପରେ ଏସବୁ ବନ୍ଦ ହୋଇ ଯାଇଥିଲା । ମୃତ୍ୟୁ ଦିନ ଆଦିତ୍ୟ ଘରୁ ବାହାରିବା ବେଳେ ବାହାରପଟୁ ଚାବି ପକାଇଲେ । କିନ୍ତୁ ଘର ବାରଣ୍ଡାରେ ଥିବା ଗଣେଶଙ୍କ ମୂର୍ତ୍ତି ତଳେ ସେ ସବୁବେଳେ ଚାବି ରଖନ୍ତି । ମୃତ୍ୟୁ ପରେ ଘର ଭିତର ଫ୍ରିଜ୍‌ରୁ ଚାବି ମିଳିଲା କେମିତି ବୋଲି ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି ।

କ୍ରାଇମ୍‌ବ୍ରାଞ୍ଚ ସାମ୍ନାରେ ଏମିତି ବୟାନ ଦେଇ ପପୁ ଓ ବିକାଶଙ୍କ ଭୂମିକାକୁ ନେଇ ସନ୍ଦେହ ଉଠାଇଛନ୍ତି ବିଦ୍ୟାଶ୍ରୀ । ମୃତ୍ୟୁ ପରଠୁ ଏ ଦୁହେଁ ତାଙ୍କ ଚରିତ୍ରକୁ ବଦନାମ୍‌ କରି ଚାଲିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିବାହ ପୂର୍ବର ପୁରୁଣା ଫଟୋ ଓ ଅନ୍ୟ କାହା ସହ ସମ୍ପର୍କକୁ ହାଇଲାଇଟ୍‌ କରି ତାଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ସେ କହିଛନ୍ତି । ସେପଟେ ଟିମ୍‌ କହିଛି, ଉଭୟ ପକ୍ଷର ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି। ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ।

ସେପଟେ ତଦନ୍ତକାରୀ ଟିମ୍‌ ବୃଦ୍ଧାଶ୍ରମକୁ ଯାଇ ତଦନ୍ତ କରିଛି। ସେଠାକାର କିଛି ଅନ୍ତେବାସୀଙ୍କୁ ମଧ୍ୟ ପପୁ-ବିକାଶ ଓ ବିଦ୍ୟାଶ୍ରୀଙ୍କ ଚରିତ୍ର ସମ୍ପର୍କରେ ପଚାରି ବୁଝିଛି । ସେପଟେ ସନ୍ଦିଗ୍ଧମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ଗଣମାଧ୍ୟମ ଜରିଆରେ ଦାବି ଉଠାଇଛନ୍ତି ।

   Related Posts