ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ୱର ୦୮।୧୦: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ଲକ୍ ଡାଉନ୍ ସମୟରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ନୂଆ ମୋଡ ନେଇଛି । ଏହି ଲୋମହର୍ଷଣକାରୀ ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । କେବଳ ସେତିକି ନୁହେଁ ବୁଧବାର କ୍ରାଇମବ୍ରାଞ୍ଚର ଏକ ଟିମ୍ ଓଟିଭି ଅଫିସକୁ ଯାଇ ଅନେକ ତଥ୍ୟ ସଂଗ୍ରହ କରିଛି ।  ୩ଜଣଙ୍କୁ ନୋଟିସ୍ ମଧ୍ୟ କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଟିଭି ଏମଡିଙ୍କ ପିଏ ଓ ଅନ୍ୟ ୨ ଜଣ ଓଟିଭି କର୍ମଚାରୀ ।

ସେହିପରି କମିସନରେଟ ପୋଲିସ କଣ ତଦନ୍ତ କରିଛି ସେ ସବୁ କାଗଜପତ୍ର ମଧ୍ୟ ନେଇଛି କ୍ରାଇମବ୍ରାଞ୍ଚ । ଓଟିଭି ଅଫିସରେ କାମ କରୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଲକଡାଉନ୍ ସମୟରେ ତାଙ୍କ ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଛି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ଜଣ ଏହି ଘଟଣାରେ ସାମିଲ ଅଛନ୍ତି । ଏଥିରେ ଓଟିଭିର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ମାଆ ଏ ବାବଦରେ ପ୍ରଥମେ ଓଟିଭି ଏମଡିଙ୍କୁ ଜଣାଇଥିଲେ । ଏମଡି ସବୁ ଜାଣି ଚୁପ୍ ରହିବା ସହ ତାଙ୍କୁ ଚାକିରିରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ମହିଳା ଜଣଙ୍କ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

 ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ପରେ ଶିଶୁ ସୁରକ୍ଷା କମିଶନ ଓ ମହିଳା କମିଶନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ । ଶିଶୁ ସୁରକ୍ଷା କମିଶନ ଓଟିଭି ଏମଡିଙ୍କୁ ନୋଟିସ୍ କରିଥିଲେ । ହେଲେ ସେ ହାଜର ହେଲେ ନାହିଁ କି ନିଜ ପକ୍ଷ ରଖିଲେ ନାହିଁ । ମହିଳା କମିଶନଙ୍କ ନିକଟକୁ ଥରେ ଯାଇଥିଲେ । ଅନ୍ୟ ସମୟରେ ତାଙ୍କ ପିଆରଓଙ୍କୁ ପଠାଇ ଦେଇଥିଲେ । ସେପଟେ ଥନାରେ ଅଭିଯୋଗ ହେବାର ୩୬ ଦିନ ତଦନ୍ତ କରିବା ପରେ ମଧ୍ୟ କମିଶନରେଟ୍ ପୋଲିସ ଏହି ଘଟଣାରେ କିଛି ଟେର୍ ପାଇନଥିଲା । କମିଶନରେଟ ପୋଲିସର ଜଣେ ଡିସିପି ରାଙ୍କର ଅଫିସର ଏହାର ତଦନ୍ତ କରିଥିଲେ । ୩ଜଣ ଏସିପି , ୨ଜଣ ଇନିସପେକ୍ଟର , ୩ଜଣ ଏସଆଇ ତାଙ୍କୁ ସହଯୋଗ କରୁଥିଲେ ।

ଡିସିପି ଉମାଶଙ୍କର ଦାସ ମଧ୍ୟ ନିଜେ ଘଟଣା ଉପରେ ନଜର ରଖିଥିଲେ  । ହେଲେ ଘଟଣାରେ ଏଯାଏ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ଡିସିପିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଥିଲେ ମହିଳା କମିଶନ । ହେଲେ ରିପୋର୍ଟ ମାଗିବାର ୨୦ ଦିନ ପରେ ମଧ୍ୟ ପୋଲିସ କିଛି ଦେଇପାରିନଥିଲା । ପୀଡିତାଙ୍କ ମା ସରକାରଙ୍କ ନିକଟରେ ମଧ୍ୟ ନ୍ୟାୟ ପାଇଁ ନେହୁରା ହୋଇଥିଲେ । ଏହାପରେ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ନେବା ପରେ  ପୁରା ଘଟଣାରୁ ପରଦା ହଟିବ ବୋଲି ପୀଡିତାଙ୍କ ମାଆ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.