କ୍ରାଇମ୍ ସ୍ପଟ୍‌ରେ ଡେମୋ ଦେଖାଇଲା ହତ୍ୟାକାରୀ : ଜଳୁଥିଲା ମମିତାଙ୍କ ମୃତଦେହ, ଆଉ ଠିଆହୋଇ ଦେଖୁଥିଲେ ଗୋବିନ୍ଦ

Published By : Prameya-News7 Bureau | October 22, 2021 IST

କଳାହାଣ୍ଡି ୨୨।୧୦: ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରିରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ଗିରଫ ହେବା ପରେ ଏବେ ଘଟଣାକୁ ନେଇ ତନାଘନା ଜୋର ଧରିଛି । ଅଭିଯୁକ୍ତକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । କେମିତି ମମିତାଙ୍କୁ ଗାଡ଼ିରେ ହତ୍ୟା କରିଥିଲେ ଗୋବିନ୍ଦ, ତାଙ୍କୁ ପୁଣି ପଡ଼ିଆରେ ପୋତିଲେ ଏସବୁକୁ ନେଇ ପୋଲିସ ଛାନଭିନ କରିଥିଲେ।

ଭୋର ୪ଟା ୧୦ ମିନିଟ୍ ସମୟରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀରରୁ ନେଇ ମହାଲିଙ୍ଗରେ ପହଞ୍ଚିଥିଲା ପୋଲିସ। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ବଲାଙ୍ଗୀର ଏସପି କୁସଲକର ନିତୀନ ଡାଗଡୁ  ଓ ଅନ୍ୟାନ୍ୟ ଅଧିକାରୀ ଗୋବିନ୍ଦଙ୍କୁ ନେଇ ସେହି ସେହି ସ୍ଥାନରେ ପହଞ୍ଚିଥିଲେ । ଯେଉଁ ସ୍ଥାନରେ ୮ତାରିଖରେ ଗୋଟି ଗୋଟି ଘଟଣା କ୍ରମ ଘଟିଥିଲା।  ଆଉ ଗୋବିନ୍ଦ ବଖାଣିଥିବା ଘଟଣାକ୍ରମ ଅନୁସାରେ, ଅକ୍ଟୋବର ୮ ତାରିଖ ସକାଳ ୬ଟା ୩୦ମିନିଟ୍ ରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରୁ ବଜରଙ୍ଗବାଲୀ ବସରେ ମହାଲିଙ୍ଗ ବାହାରିଥିଲେ । ସକାଳ ୭ଟା ୪୫ମିନିଟରୁ ୮ଟା ସିନ୍ଧେକେଲା ଚାନ୍ଦୋତରା ଛକଠାରେ ବସରୁ ଓହ୍ଲାଇଥିଲେ ମମିତା । ପୂର୍ବରୁ ସେହିଠାରେ ଅପେକ୍ଷା କରି ରହିଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦଙ୍କ ୱାଗନର କାର୍ ନମ୍ବର ଓଡି୦୮କେ୧୦୦୨ରେ ମମିତା ଭବାନୀପାଟଣା ଯାଇଥିଲେ। ଭବାନୀପାଟଣା ଷ୍ଟାଚ୍ୟୁ ଛକ ନିକଟରେ ଉଭୟ ସପିଂ କରିଥିଲେ । ଯାହାର ସିସିଟିଭି ଭିଜୁଆଲ ପୋଲିସ ହାତରେ କୁଆଡ଼େ ଲାଗିଛି ।  ଦିନ ୧୧ ଟାରେ ପୁଣି ଫେରିଥିଲେ । ୧୨ଟା ବେଳେ କୁରସୁଡ଼ ଠାରେ ପହଞ୍ଚିଥିଲେ । କାର୍ ଭିତରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏପରିକି ଏହା ହାତାହାତି ଯାଏଁ ଯାଇଥିଲା । ଏହି ସମୟରେ ମମିତାଙ୍କ ତଣ୍ଟି ଧରି ଛାତିରେ ମୁଥ ମାରିଥିଲେ ଗୋବିନ୍ଦ । ଏଥିରେ ମମତାଙ୍କର ମୃତ୍ୟୁ ହୋଇଥିବା ଗୋବିନ୍ଦ କୁଆଡ଼େ ବଖାଣିଛନ୍ତି ।

ମମିତାଙ୍କ ମୃତଦେହକୁ କାରରେ ଧରି ଗୋବନ୍ଦ ମହାଲିଙ୍ଗ ନିଜ ଘରକୁ ଆସିଥିଲେ। ସମୟ ଦିନ ୧ଟାରେ ଘର ବାଡ଼ିପଟେ ଗାଡି ପାର୍କିଂ କରିଥିଲେ । ଘରକୁ ଯାଇଥିଲେ ।  ରାତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସମୟ ରାତି ୮ଟା ବେଳେ ପୁଣି ବାଡ଼ିପଟୁ କାର ଧରି ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମରେ ପହଞ୍ଚିଥିଲେ ଗୋବିନ୍ଦ । ପୂର୍ବରୁ ସେଠାରେ ଗାତ ଖୋଳା ସରିଥିଲା । ମମିତାଙ୍କ ମୃତଦେହକୁ ଗାଡିରୁ ବାହାର କରି ଗାତ ଭିତରେ ପକାଇଥିଲେ। ଉପରେ ଟାୟାର ଛୋଟ କାଠ, ଭଙ୍ଗା ଚେୟାର ପକାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।  ୧୫ ମିନିଟ୍ ପର୍ଯ୍ୟନ୍ତ  ସେଠାରେ ସେ ରହିଥିଲେ । ମୃତଶରୀର ଅଧା ପୋଡିଯିବା  ପରେ  ଗାତକୁ ପୋତି ବାହାରି ଆସିଥିଲେ ନିଜ ଘରକୁ ।

କ୍ରାଇମ ସ୍ପଟରେ ଅଭିଯୁକ୍ତ ଗୋବିନ୍ଦ ଗୋଟି ଗୋଟି ସତ ବଖାଣିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ପୋଲିସ ଭୋରରୁ କ୍ରାଇମ ରିକ୍ରିଏସନ ସାରିଥିଲା । କୁରସୁଡ, ଚାନ୍ଦୋତରା, ମହାଲିଙ୍ଗଠାରେ ପୋଲିସ ଗୋବିନ୍ଦଠାରୁ ଡେମୋ ନେଇଥିବା ବେଳେ ମହାଲିଙ୍ଗ ମିନି ଷ୍ଟାଡିୟମରୁ ଫୋରେନସିକ୍ ଟିମ୍ ଆହୁରି ଅନେକ ପ୍ରମାଣ ସଂଗ୍ରହ କରିଛି ।

ଅନ୍ୟପକ୍ଷରେ ଅଭିଯୁକ୍ତ ଗୋବିନ୍ଦଙ୍କୁ ମମିତା ହତ୍ୟା ଘଟଣାରେ ସହଯୋଗ କରିଥିବା ରାଧେ ଘରୁ ଏକ ବ୍ୟାଗ ପାଇଛି । ରାଧେଙ୍କ ପତ୍ନୀ ଆଶା ଚଣ୍ଡି ଘର ଓଳାଉଥିବା ବେଳେ ବ୍ୟାଗ ପାଇ ଗଣମାଧ୍ୟମ ଜରିଆରେ ପୋଲିସକୁ ହସ୍ତାନ୍ତର ପାଇଁ ଅପେକ୍ଷା କରିଥିବା ବେଳେ କେଗାଁ ପୋଲିସ ବ୍ୟାଗ୍ ଜବତ କରିଛି । ବ୍ୟାଗରେ ୩ଗୋଟି ନୂଆ ଡ୍ରେସ, ଗୋଟିଏ ମୋବାଇଲ୍ ଫୋନ୍ ଓ ଚାର୍ଜର ରହିଛି । ହେଲେ ଜବତ ମୋବାଇଲ କାହାର ? ପୁରଣା ନା ନୂଆ ? ମୋବାଇଲ ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ରାଧେ ନିର୍ଦ୍ଦୋଷ ବୋଲି ବଖାଣିଛନ୍ତି ତାଙ୍କ ପତ୍ନୀ ।

ଘଟଣା ଉପରେ ଥିବା ବହୁ ରହସ୍ୟ ଉପରେ ବର୍ତ୍ତମାନ ମଧ୍ୟ ପରଦା ଉଠିନି ।  ଦୃଶ୍ୟମ ଫିଲ୍ମ ଭଳି ଅପରାଧକୁ ଲୁଚେଇଦେବାକୁ ଚେଷ୍ଟା କରିଥିଲେ ଗୋବିନ୍ଦ ହେଲେ ରାଧେ ଗୋବିନ୍ଦଙ୍କ ଏହି କାହାଣୀ ମାଟି ତଳୁ ବାହାରି ମାତ୍ର ଦିନ କେଇଟାରେ ସାରା ଓଡ଼ିଶାକୁ ହୁଲସ୍ତୁଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.