ଅନ୍ଧାରକୁ ଡର : ଅପରାଧୀଙ୍କୁ ଅଧିକ ସକ୍ରିୟ କରିଛି ଅନ୍ଧାର, ଘର ଭିତରୁ ମୋବାଇଲ, ଲାପଟପ୍‌, ଟଙ୍କା ଓ ସୁନା ଧରି ଚମ୍ପଟ ମାରୁଛନ୍ତି ଲୁଟେରା

Published By : Prameya-News7 Bureau | May 13, 2019 IST

ଭୁବନେଶ୍ୱର ୧୩\୫ (ଅମର ପଟ୍ଟନାୟକ) : ଫୋନି ତାଣ୍ଡବର ୧୦ ଦିନ ପରେ ମଧ୍ୟ ଭୁବନେଶ୍ୱର ହୋଇନାହିଁ ସ୍ୱାଭାବିକ । ରାଜଧାନୀର ଅନେକ ଅଞ୍ଚଳରେ ରାତି ହେଲେ ରାଜୁତି କରୁଛି ଅନ୍ଧାର । ସଵୁବେଳେ ଲୋକଙ୍କୁ ଘାରୁଛି ସରୀସୃପ ଓ ଲୁଟେରାଙ୍କ ଚିନ୍ତା । ସଞ୍ଜ ହେଲେ ଲୋକେ ଭୟରେ ସମୟ କାଟୁଛନ୍ତି । ଏ ଭିତରେ ଖଟିଖିଆ, ଦିନ ମଜୁରିଆ ଓ ବସ୍ତିଵାସିନ୍ଦାଙ୍କ ଅବସ୍ଥା ସାଙ୍ଘାତିକ । ଫୋନି ଉଡାଇ ନେଇଛି ଛପର, ଭାଙ୍ଗି ଦେଇଛି ଘର ଆଉ ବୋଝ ଉପରେ ନଳିତା ବିଡା ହୋଇଛି ସହରୀ ଅନ୍ଧାର । ବିଶେଷକରି ଝିଅ ବୋହୂ ଓ କର୍ମଜୀବୀ ମହିଳାଙ୍କ ପାଇଁ ସ୍ଥିତି ସଙ୍ଗୀନ। ମଦୁଆ, ନିଶାଡି, ଡ୍ରଗ୍ସ ସେବନକାରୀଙ୍କ ଭୟ ।

{"id":111487}

ସ୍ଥାନୀୟ ଲୁଟେରାଙ୍କ ବ୍ୟତୀତ ରାଜ୍ୟ ବାହାରରୁ ଆସିଥିବା କିଛି ଅପରାଧୀ ମଧ୍ୟ ପରିସ୍ଥିତିର ସୁଯୋଗ ନେଉଛନ୍ତି । ରାତିର ଅନ୍ଧାରରେ ପ୍ରତିଯୋଗିତାମୁଳକ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀଙ୍କ ମୋବାଇଲ୍‌ ଓ ଲାପ୍‌ଟପ୍‌ ଚୋରି ହେଉଛି । ଅନେକ ସ୍ଥାନରେ ପାଚେରୀ ଭାଙ୍ଗିଯାଇଥିବା ବେଳେ ଛାତ୍ର ଛାତ୍ରୀ ରହୁଥିବା ଘରୋଇ ହଷ୍ଟେଲ ଗୁଡିକରୁ ନିୟମିତ ଚୋରିର ଖବର ଆସିଲାଣି । ବାତ୍ୟା ପରେ ସହରର ଅନେକ ସ୍ଥାନରେ ପୋଲିସ ପାଟ୍ରୋଲିଂ ନଥିବା ଘଟଣା ଅପରାଧୀଙ୍କୁ ଅଧିକ ସକ୍ରିୟ କରିଛି । ବିଦ୍ୟୁତ ଓ ପାଣିକୁ ନେଇ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭିଆଇପିଙ୍କ ଗସ୍ତରେ ପୋଲିସ ବ୍ୟସ୍ତ ରହୁଥିବା ବେଳେ  ବିଭିନ୍ନ ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

{"id":111484}

ଭଦ୍ର ଲୋକଙ୍କ ଭଳି ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ନେଇ  ବୁଲୁଥିବା ବାହାର ରାଜ୍ୟର ଫ୍ୟାମିଲି ଗ୍ୟାଙ୍ଗ ଅନେକ ସ୍ଥାନରେ ପାହାନ୍ତା ସମୟରେ ଚୋରି କରୁଛନ୍ତି । ବିଦ୍ୟୁତ ନଥିବାରୁ ଗୁଳୁଗୁଳିରେ ବ୍ୟସ୍ତ ବିବ୍ରତ ଲୋକେ ପାହାନ୍ତା ପହର ଥଣ୍ଡାରେ ଟିକେ ଶୋଇଥିବା ବେଳେ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଛି । ବିଭିନ୍ନ କଲୋନୀ ଅଞ୍ଚଳରେ ଛୋଟ ପିଲାଙ୍କୁ ଘର ଭିତରକୁ ପଠାଇ ମୋବାଇଲ, ଲାପଟପ୍‌, ଟଙ୍କା ଓ ସୁନା ଧରି ଚମ୍ପଟ ମାରୁଛନ୍ତି । ସ୍ଥାନୀୟ ଅଞ୍ଚଳର ଚୋର ଓ ସିନ୍ଧିଚୋର ଏକୁଟିଆ ଘର ଗୁଡିକୁ ଟାର୍ଗେଟ କରୁଛନ୍ତି । ବିଶେଷ କରି ରାଜଧାନୀର ବିଜୁଳି ଓ ପାଣି ସଂକଟ ବେଳେ ତାଲା ପକାଇ ପିଲା ଛୁଆଙ୍କୁ ଧରି ଗାଁକୁ ଚାଲିଯାଇଥିବା ପରିବାରର ଘର ଗୁଡିରୁ ସେମାନେ ଚୋରି କରୁଛନ୍ତି । ଗ୍ରିଲ ତାଡି କିମ୍ବା ଦ୍ୱାର ଭାଙ୍ଗି ବେଧଡକ ଲୁଟ କରି ଚାଲିଯାଉଛନ୍ତି ଲୁଟେରା ।

{"id":111485}

ଏହା ବ୍ୟତିତ ଛିନତାଇ ଓ ଛୋଟ ବଡ ଲୁଟ୍‌ ଘଟଣାରେ ଡ୍ରଗ୍ସ ସେବନକାରୀଙ୍କ ହାତ ରହୁଛି ।  ରାସ୍ତାରେ ଆଲୁଅ ନାହିଁ, ଘରେ ବିଜୁଳି ନାହିଁ, ଲୋକେ ଲଗାଇଥିବା  ସିସିଟିଭି ମଧ୍ୟ ଅକାମୀ । ଫଳରେ ଅନ୍ଧାରରେ ଅପରୋଧୀଙ୍କୁ ରୋକିବା ପାଇଁ  ସ୍ଥାନୀୟ ଲୋକେ ଓ ପୋଲିସ ସଫଳ ହୋଇପାରୁନାହାନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଚୋରି ରୋକିବା ପାଇଁ  କେତେକ ଅଞ୍ଚଳରେ ସ୍ଥାନୀୟ ବ୍ୟବସାୟୀ ଓ ଯୁବକ ରାତି ଅନିଦ୍ରା ହୋଇ ପହରା ଦେଉଛନ୍ତି । ଚନ୍ଦ୍ରଶେଖରପୁର, ନୀଳାଦ୍ରୀ ବିହାର, ଲକ୍ଷ୍ମୀସାଗର, ତମାଣ୍ଡୋ, ପଳାଶୁଣୀ, ମଞ୍ଚେଶ୍ଲର , ଭିଏସ୍‌ଏସ୍‌ ନଗର ଓ ବଡଗଡ ଭଳି ଅଞ୍ଚଳରେ ସ୍ଥାନୀୟ ଲୋକେ ଏଭଳି କରୁଛନ୍ତି ।

{"id":111486}

ସେପଟେ ଅନ୍ଧାର ହେଲେ ଲୋକଙ୍କୁ କଲବଲ କରୁଛନ୍ତି ମଶା। ବାତ୍ୟା ଫୋନି ପରେ ରାଜଧାନୀର ସବୁ ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢିଯାଇଛି । ସହର ତମାମ ଅଳିଆ ଆବର୍ଜନା ପଡି ରହିଛି ଓ ମଇଳା ପାଣି ଜମି ରହୁଛି ଫଳରେ ଏହା ମଶା ବଂଶ ବୃଦ୍ଧିରା ସାହାଯ୍ୟ କରୁଛି । ସେପଟେ ଟିଫା ମେସିନ ସାହାଯ୍ୟରେ କଲୋନୀ ଗୁଡିକରେ ମଶା ଧୂଆଁ ଛଡା ନଯିବା ମଧ୍ୟ ସ୍ଥିତିକୁ ବିଗାଡୁଛି । ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ସହିତ, ଆବର୍ଜନା ସଫା କରାଯିବା ଓ ରାତିରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବାର ଆବଶ୍ୟକତା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.