‘ପରୀ’ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଘୋଷଣା କଲେ ମନ୍ତ୍ରୀ : ମଙ୍ଗଳବାର ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ ପରୀର ବାପା-ମା’
25/11/2020 at 4:01 PM

ଭୁବନେଶ୍ବର ୨୫।୧୧: ‘ପରୀ’ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଗୃହରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ସରିଛି । ୩୪ ସନ୍ଦିଗ୍ଧ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରାଯାଇଛି । ଏଯାଏଁ ‘ପରୀ’ର ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବିଧାନସଭା ଆଗରେ କିରୋସିନ ଢାଳି ଆତ୍ମାହୂତୀ ଉଦ୍ୟମ କରିଥିଲେ ନୟାଗଡର ଦମ୍ପତ୍ତି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ତେବେ ସଠିକ୍ ସମୟରେ ଘଟଣାସ୍ଥଳରେ ଥିବା ପୋଲିସ କର୍ମଚାରୀ ଦମ୍ପତ୍ତିଙ୍କୁ କାବୁ କରିନେଇଥିଲେ । ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇ ନୟାଗଡ ଜିଲ୍ଲା ସଦର ଥାନା ଯଦୁପୁରର ଅଶୋକ ସାହୁ ଏବଂ ତାଙ୍କ ସ୍ତ୍ରୀ ଏପରି କରିଥିବା କହିଥିଲେ । ଦମ୍ପତ୍ତିଙ୍କ କହିବା ମୁତାବକ ତାଙ୍କ ଝିଅ ପରୀକୁ ମାରିଦିଆଯାଇଛି । କିଡନୀ ଓ ଆଖି ବିକ୍ରି କରିଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏଁ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ । ଏମିତିକି ଏସପିଙ୍କୁ ଗୁହାରି କରିଥିଲେ ବି ସେ ଆକ୍ସନକୁ ଆସୁନାହାନ୍ତି । ସେମାନଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ କରିଥିଲେ ।
ବିଧାନସଭା ବାହାର ଘଟିଥିବା ଏ ଘଟଣାକୁ ନେଇ ଗୃହ ଭିତରେ ଦେଖାଦେଇଥିଲା ତାତି । ଜଣେ ମନ୍ତ୍ରୀଙ୍କ ନାଁ ଉଠିଥିବାରୁ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଥିଲେ ବିରୋଧୀ । ସବୁ କାର୍ଯ୍ୟ ବନ୍ଦ କରି ଏହା ଉପରେ ଜବାବ ରଖିବାକୁ ଅଡି ବସିଥିଲେ । ଶେଷରେ ଏନେଇ ବିସ୍ତୃତ ତଥ୍ୟ ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।
ପୂରା ଘଟଣା ଥିଲା ଏମିତି…
ଗତ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରୀ । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ । ପେଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ୨୩ ତାରିଖ ଅପରାହ୍ନରେ ବାଡି ପଟ ଗାଡିଆ କୂଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ । ଯାହାକୁ ନେଇ ନୟାଗଡାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।