ବେଆଇନ ପଥର ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଚଢାଉ

Published By : Prameya-News7 Bureau | November 02, 2019 IST

ରାଉରକେଲା ୨।୧୧: ରାଉରକେଲା  ବିଶ୍ରା ତହସିଲ ମୋଚିକୁଦା ଗାଁରେ ବେଆଇନ ଭାବରେ ଚାଲୁଥିବା ପଥର ଖଣି ସହ କ୍ରସର ଉପରେ ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ଚଢ଼ାଉ କରିଛି।  ମୋଚିକୁଦା ଗାଁରେ  ଚାଷ ଜମିକୁ  ପଥର ଖଣି ଦେଖାଇ ଲାଇସେନ୍ସ ନେଇଥିବା ପ୍ରତାପ ପ୍ରସାଦ ନାମକ ଠିକାଦାର ଦଶବର୍ଷ ହେଲା ଜଙ୍ଗଲ ଜମିରୁ ବେଆଇନ ଭାବେ ପଥର ବ୍ଲାଷ୍ଟ କରି ଖଣିରୁ ପଥର ଉତ୍ତୋଳନ କରିବା ସହ ପଥରରୁ ଚିପ୍ସ ପ୍ରସ୍ତୁତ କରିବା ପାଇଁ ୩ଟି କ୍ରସର ମଧ୍ୟ ବସାଇଛି । ଏହି ଖଣିରୁ ୧୦ବର୍ଷ ମଧ୍ୟରେ ଅନୁନ୍ୟ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ପଥର ସହ ଚିପ୍ସ ଝାଡ଼ଖଣ୍ଡ ଚାଲାଣ କରାଯାଉଛି ।

ଗତ ମାର୍ଚ୍ଚ ମାସରେ ଖଣି ନବୀକରଣ ବେଳେ ଏହି ଦୁର୍ନୀତି ଜଣା ପଡିବା ପରେ ବିଶ୍ରା ତହସିଲଦାର ଏ ବାବଦରେ ପ୍ରଶାସନ ଏବଂ ପୋଲିସକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଏବେ କ୍ରାଇମବ୍ରାଞ୍ଚ ତଦନ୍ତରେ କୋଟି କୋଟି ଟଙ୍କା ବେଆଇନ ପଥର ଚାଲାଣର ଗୁମର ଖୋଲିବା ଆଶା କରାଯାଉଛି । ଜଙ୍ଗଲ ଜମିରେ ଏହି କ୍ରସର ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଜଙ୍ଗଲ ବିଭାଗ କିମ୍ବା ପ୍ରଦୂଷଣ ବିଭାଗର ନଜର ନପଡିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ଡିଏସପିଙ୍କ ନେତୃତ୍ବରେ ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ମଧ୍ୟ ଖଣିକୁ ଯାଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.