ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ଆକାଶ ପାଠକଙ୍କ ସହ ଲିଙ୍କ୍ ନେଇ କରିବ ପଚରାଉଚରା

Published By : Prameya-News7 Bureau | December 15, 2020 IST

ଭୁବନେଶ୍ବର ୧୫।୧୨: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟରେ ଜେରା କରାଯିବ । କ୍ରାଇମବ୍ରାଞ୍ଚ୍ର ୫ ଜଣିଆ ଟିମ୍ ଝାରପଡ଼ା ଜେଲରୁ ପ୍ରଦୀପଙ୍କୁ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ପ୍ରଦୀପଙ୍କୁ ମଙ୍ଗଳବାରଠୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ବାଇଁ ଆକାଶ ପାଠକ କରିଥିବା ଠକେଇରେ ପ୍ରଦୀପଙ୍କ କି ସଂପୃକ୍ତି ରହିଛି ତାହାର ଛାନଭିନ୍ କରିବ କ୍ରାଇମବ୍ରାଞ୍ଚ୍ ।

ଆକାଶକୁ ୫ ଦିନିଆ ରିମାଣ୍ଡରେ ନେଇ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ୍ । ସେ ଟାଟାରେ ଚାକିରୀ କରିନଥିବା କଥା କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଥିବା ଜଣାପଡିଛି । ଠକେଇ ମାମଲାରେ ପ୍ରଦୀପ ଓ ଆକାଶଙ୍କୁ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମବ୍ରାଞ୍ଚ । ବୁଧବାର ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି ।

ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଇଏଫଏସ ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କ୍, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତ ନିକଟରେ ସୁପାରିଶ କରିଛନ୍ତି । ଲୋକାୟୁକ୍ତ ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.