କଲରାପତରିଆ ବାଘ ଛାଲ ଜବତ ଘଟଣା, ଆଉ ୨ଜଣଙ୍କୁ ଅଟକ ରଖିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍
27/06/2019 at 9:02 AM

ଦେବଗଡ ୨୭|୬: ଦେବଗଡ ଜିଲ୍ଲା ବାରକୋଟ ବ୍ଲକ୍ ଅନ୍ତର୍ଗତ ବଲଣ୍ଡା ଗାଁରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ କଲରାପତରିଆ ବାଘ ଛାଲ ଜବତ କରିବା ଘଟଣାରେ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ କେଲୋ ଗାଁର ନେତ୍ରାନନ୍ଦ କିସାନ ଓ କେନ୍ଦୁଝର ଜିଲ୍ଲା ବାଂଶପାଳ ଥାନା ଅଅଁରା ଗାଁର କାଳିଚରଣ ଦାସଙ୍କୁ ଏସଟିଏଫ ଟିମ୍ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।
ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଦିନକ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସେମାନେ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡାର ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ବଲଙ୍ଗାର ସଚ୍ଚିକାନ୍ତ । କ୍ରାଇମବ୍ରାଞ୍ଚ ଡିଏସପି ବିଳାସିନୀ ନାଏକଙ୍କ ନେତୃତ୍ଵରେ ଗଠିତ ସ୍ବତନ୍ତ୍ର ୪ଜଣିଆ ଟିମ୍ ଦେବଗଡ ପ୍ରଧାନପାଟ ନିକଟସ୍ଥ ବସନ୍ତ ନିବାସଠାରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି ଘଟଣାର ତଦନ୍ତ ଜୋରଦାର କରିଛନ୍ତି । ଏହି ବାଘ ଛାଲ ଚୋରାଚାଲାଣ ଘଟଣାରେ ଆହୁରି ଅଧିକ ଲୋକ ସଂଶ୍ଲିଷ୍ଟ ଥିବା ସନ୍ଦେହ କରାଯାଉଛି ।