ଢେଙ୍କାନାଳରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀଙ୍କ ମୃତ୍ୟୁ ଘଟଣା ; ୩ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

Published By : Prameya-News7 Bureau | November 03, 2018 IST

ଢେଙ୍କାନାଳ ୩|୧୧:  ଢେଙ୍କାନାଳ ବନଖଣ୍ଡର ମେରାମୁଣ୍ଡଳୀ ସେକ୍ସନ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ କରେଣ୍ଟ ଲାଗି ଗତ ୨୭ତାରିଖରେ ୭ଟି ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୩ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ଜଣଙ୍କ ମଧ୍ୟରେ ହାତୀ ମୃତ୍ୟୁ ଘଟଣାରେ ଚାକିରୀରୁ  ବହିସ୍କୃତ ହୋଇଥିବା ମେରାମୁଣ୍ଡଳୀ ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି, ନିଳମ୍ବିତ ହୋଇଥିବା ବନ ବିଭାଗର ମେରାମୁଣ୍ଡଳୀ ସେକ୍ସନ ପରେଷ୍ଟର ପ୍ରଭାକର ରଣା ଓ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀ । ଗିରଫ ୩ଜଣଙ୍କୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏହି ଅଞ୍ଚଳରେ ଦୀର୍ଘ ୪ବର୍ଷ ଧରି ଏହି ୧୧କେଭି ବିଦ୍ୟୁତ ତାର ଝୁଲି ରହିଥିଲେ ମଧ୍ୟ ସେସୁ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ହାତୀ ମାନଙ୍କ ମୃତ୍ୟୁର କାରଣ ହୋଇଥିଲା ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ତଦନ୍ତରୁ ସ୍ପଷ୍ଟ ହୋଇଛି । ଫଳରେ ପୂର୍ବରୁ ସେସୁର ଢେଙ୍କାନାଳ ଅଧୀକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ ଓ ଚାଇଁପାଳ ସହକାରୀ ଯନ୍ତ୍ରୀ ଆର୍ତ୍ତବନ୍ଧୁ ନାୟକ ଓ ଲାଇନ ମ୍ୟାନ ଫିରୋଜ ପଣ୍ଡାଙ୍କୁ ମଧ୍ୟ ନିଳମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୭ତାରିଖ ଦିନ ଢେଙ୍କାନାଳରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଥିଲା ଏଭଳି ଅଘଟଣ । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କର ମୃତ୍ୟୁ ହୋଇଥିଲା । ହାତୀପଲରେ ୧୩ରୁ ଅଧିକ ହାତୀ ଥିଲେ । ହାତୀ ପଲ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.