ରକ୍ଷକ ହେଲା ଭକ୍ଷକ ! ପୋଲିସ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

Published By : Prameya-News7 Bureau | June 21, 2018 IST

ବରଗଡ ଜିଲ୍ଲା ଭେଡେନ୍ ଥାନା ପୋଲିସ୍ ବିରୋଧରେ ଗଣବଳାତ୍କାର ଓ ହତ୍ୟା ଅଭିଯୋଗ | ଭେଡେନ୍ ଥାନା ଅନ୍ତର୍ଗତ ରୁପାପାଲି ଗାଁର ସସ୍ମିତା ମଲ୍ଲିକ୍ ଓ ତାଙ୍କ ପରିବାର ଏଭଳି ଅଭିଯୋଗ ଆଣି ଆଜି ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି | ପିଟିସନ୍ର ଅଭିଯୋଗ ଅନୁସାରେ ଭେଡେନ୍ ଥାନା ପୋଲିସ୍ ତିନି ଜଣ ମହିଳାଙ୍କୁ ଥାନାକୁ ନେବା କଥା କହି ପୋଲିସ୍ ଜିପ୍ରେ ବସାଇ ରୁପାପାଲି ଗାଁରୁ ନେଇଥିଲା | ମାତ୍ର ତିନି ମହିଳାଙ୍କୁ ଥାନାକୁ ନେବା ପରିବର୍ତ୍ତେ ପୋଲିସ୍ ସୂବର୍ଣ୍ଣପୁର ଜିଲ୍ଲାର ଦେଗାଁ ଜଙ୍ଗଲକୁ ନେଇ ସେଠାରେ ଗଣବଳାତ୍କାର କରିଥିବା ନିଜ ପିଟିସନ୍ରେ ଦର୍ଶାଇଛନ୍ତି ପୀଡିତାଙ୍କ ପରିବାର ଲୋକେ | ଅଭିଯୋଗ ଅନୁସାରେ ରୁପାପାଲି ଗାଁର ଗୀତା ମଲ୍ଲିକ୍, ରେବତୀ ମଲ୍ଲିକ୍ ଓ ଝରଣା ମହାନନ୍ଦଙ୍କ ସ୍ୱାମୀ ମାନେ ଏକ ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ଭେଡେନ୍ ଥାନାରେ ଅଟକ ଥିଲେ | ତେବେ ଅଟକ ଲୋକ ମାନଙ୍କୁ ଲେଖା ପଢା କରି ଛାଡି ଦେବା ପାଇଁ ସେମାନଙ୍କ ପରିବାର ଲୋକଙ୍କ ଉପସ୍ଥିତି ଆବଶ୍ୟକ ଦର୍ଶାଇଥିଲା ଭେଡେନ୍ ପୋଲିସ୍ | ତେଣୁ ଥାନାର କିଛି କର୍ମଚାରୀ ସେମାନଙ୍କ ଘରୁ ଗୀତା,ରେବତୀ ଓ ଝରଣାଙ୍କୁ ୨୦୧୬ ମସିହା ସେପ୍ଟେମ୍ବର ମାସ ୨୩ ତାରିଖରେ ପୋଲିସ୍ ଜିପ୍ରେ ବସାଇ ଥାନାକୁ ନେବା ପାଇଁ ଆସିଥିଲା | ତେବେ ମହିଳା ମାନଙ୍କୁ ଥାନାକୁ ନନେଇ ପୋଲିସ୍ ସୋନପୁର ଜିଲ୍ଲା ଦେଗାଁ ଜଙ୍ଗଲକୁ ନେଇ ସେଠାରେ ଗଣବଳାତ୍କାର କରିଥିବା କଥା ପିଟିସନ୍ରେ ଅଭିଯୋଗ ହୋଇଛି | ପରେ ମହିଳା ତିନି ଜଣଙ୍କୁ ପୋଲିସ୍ ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ସମ୍ପୃକ୍ତ ଅପରପକ୍ଷର ବ୍ୟକ୍ତି ମାନଙ୍କ ପାଖରେ ଛାଡି ଚାଲି ଆସିଥିଲା | ଅଭିଯୋଗ ମୁତାବକ ଦେଗାଁ ଜଙ୍ଗଲରେ ସେହି ଅଭିଯୁକ୍ତ ମାନେ ଆଠ ଦିନ ଧରି ଏହି ମହିଳା ତିନି ଜଣଙ୍କୁ ଗଣବଳାତ୍କାର କରିଥିଲେ | ଆଠ ଦିନ ପରେ ଗୀତା ଓ ରେବତୀଙ୍କର ମୃତ୍ୟୁ ହୋଇଥିଲା | ଏହି ଘଟଣାରେ ସୌଭାଗ୍ୟକ୍ରମେ ଖସି ଆସିଥିବା ଝରଣା ମହାନନ୍ଦ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ | ପରେ ଗୀତାଙ୍କ ଦେଢଶୁର ଗଣେଶ୍ୱର ମଲ୍ଲିକ୍ ୨୦୧୭ ମସିହା ମେଁ ୫ ତାରିଖରେ ପୋଲିସ୍ ଓ ଅଭିଯୁକ୍ତ ମାନଙ୍କ ଗଣବଳାତ୍କାର ଓ ହତ୍ୟା ସମ୍ପର୍କରେ ବରଗଡ ଏସ୍ ପି, ପୋଲିସ୍ ଡିଜି,ଗୃହ ସଚିବ ଓ ବରଗଡ ଜିଲ୍ଲାପାଳଙ୍କୁ ଜଣାଇଥିଲେ | ମାତ୍ର ସ୍ଥାନୀୟ ଭେଡେନ୍ ପୋଲିସ୍ ତଦନ୍ତ କରିବା ପରିବର୍ତ୍ତେ ୨୦୧୭ ମସିହା ଜୁଲାଇ ୧୯ ତାରିଖରେ ତେଶାନ୍ତ ମେହେର ନାମକ ଜଣେ ବ୍ୟକ୍ତି ଓ କିଛି ଅସାମାଜିକ ଲୋକଙ୍କ ଗ୍ୟାଙ୍ଗକୁ ଲଗାଇ ଅଭିଯୋଗ ଆଣିଥିବା ଗଣେଶ୍ୱର ମଲ୍ଲିକଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି | ତେବେ ଏହି ଘଟଣାରେ ବଳାତ୍କାର ଓ ହତ୍ୟାର ଶୀକର ହୋଇଥିବା ଗୀତା ମଲ୍ଲିକ୍ ଓ ରେବତୀ ମଲ୍ଲିକ୍ଙ୍କୁ ମୃତଦେହ ଏଯାଏ ଠାବ କରାଯାଇ ପାରିନାହିଁ | କିମ୍ବା ଦୁଇ ମହିଳାଙ୍କ ମୃତ ଦେହ ସେମାନଙ୍କ ପରିବାର କିମ୍ବା ଅନ୍ୟ କେହି ଦେଖି ନାହାଁନ୍ତି | ଏହା ସହ ଆବେଦନକାରୀ ଗଣେଶ୍ୱର ମଲ୍ଲିକ୍ ଙ୍କୁ ମୃତ ବୋଲି ନିଜ ଆବେଦନରେ ଜଣାଇଥିଲେ ମଧ୍ୟ ଆବେଦନକାରୀଙ୍କ ପରିବାର କିମ୍ବା ଅନ୍ୟ କେହେ ଗଣେଶ୍ୱରଙ୍କ ମୃତ ଦେହ ଦେଖି ନାହାଁନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.