ମୁଲ ଲାଗି ପୁଅକୁ ବଡ କରିଥିଲେ ମା: ଆଇପିଏଲରେ ଖେଳିବାକୁ ସୁଯୋଗ ଦେଇଥିଲେ ସେହୱାଗ୍
4/04/2021 at 4:17 PM

ନୂଆଦିଲ୍ଲୀ ୦୪/୦୪ : ଭାରତୀୟ ଟିମର ଷ୍ଟାର ବୋଲର ଓ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଟି. ନଟରାଜନ ଆଜି ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। ଗତ ୮ମାସ ନଟରାଜନଙ୍କ ପାଇଁ ପରି ରାଇଜର କାହାଣୀ ଭଳି ଥିଲା। ଆଇପିଏଲ ୨୦୨୦ରେ ଦମଦାର ପ୍ରଦର୍ଶନ କରିଥିବା ନଟରାଜନଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଟେଷ୍ଟ ଓ ତ-୨୦ କ୍ରିକେଟରେ ଡେବ୍ୟୁ କରିବାକୁ ମଉକା ମିଳିଥିଲା। ୩ଟି ଫର୍ମରେ ଡେବ୍ୟୁ କରିଥିବା ସେ ଜଣେ ମାତ୍ର ଖେଳାଳି ଥିଲେ। ତେବେ ଟିମ୍ ଇଣ୍ଡିଆ ଯାଏଁ ନଟରାଜନଙ୍କ ଯାତ୍ରା ଏତେ ସହଜ ନଥିଲା। ଟିମ୍ ଇଣ୍ଡିଆରେ ସାମିଲ ହେବାକୁ ସେ ବହୁତ ପରିଶ୍ରମ କରିଛନ୍ତି। ତାଙ୍କ ବାଲ୍ୟ ଜୀବନ ଅଭାବ ଅନାଟନରେ ବିତିଛି। କିନ୍ତୁ ତାଙ୍କ ଦୃଢ ମନୋବଳ ଓ ପରିଶ୍ରମ ଯୋଗୁଁ ସେ ଟିମ୍ ଇଣ୍ଡିଆର ନିଜ ସ୍ଥାନ ସୃଷ୍ଟି କରିପାରିଛନ୍ତି।

ତାଙ୍କ ଜନ୍ମ ତାମିଲନାଡୁର ଏକ ଛୋଟ ଗାଁ ଚିନ୍ନାପାମ୍ପଟ୍ଟିରେ। ତାଙ୍କ ମା ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷୁଥିଲେ। ସେ ଟେନିସ ବଲରେ କ୍ରିକେଟ ଖେଳୁଥିଲେ। ଦିନେ କୋଚ୍ ଜୟପ୍ରକାଶଙ୍କ ନଜର ତାଙ୍କ ଉପରେ ପଡିଥିଲା। ଏହାପରେ ତାଙ୍କୁ ତାମିଲନାଡୁ ପରିମିୟର ଲିଗରେ ଖେଳିବାକୁ ମଉକା ମିଳିଥିଲା। ଏହାପରେ ନଟରାଜନ ଆଇପିଏଲରେ ନିଜ ପାଇଁ ଜାଗା ସୃଷ୍ଟି କରିଥିଲେ। ନଟରାଜନ ଆଜି ଟିମ ଇଣ୍ଡିଆରେ ୩ଟି ଫାର୍ମଟରେ ଖେଳୁଛନ୍ତି। ନଟରାଜନ ନିଜ ଆଇପିଏଲ ଜର୍ସିରେ ନିଜ କୋଚ ଜୟପ୍ରକାଶଙ୍କ ନାଁ ଲେଖନ୍ତି।

୨୦୧୭ରେ ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ନଟରାଜନଙ୍କ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ। ସେତେବେଳେ ସମସ୍ତେ ସେହବାଗଙ୍କୁ ପ୍ରଶ୍ନ କରିଥିଲେ। ନଟରାଜନଙ୍କୁ ୨୦୧୭ରେ ବେସ ପ୍ରାଇସ ୧୦ ଲକ୍ଷରୁ ୩୦ ଗୁଣ ଅଧିକ ଦାମରେ କିଣାଯାଇଥିଲା। କିଙ୍ଗ୍ସ ଇଲେଭେନ ପଞ୍ଜାବ ଏହି ବୋଲରଙ୍କୁ ୩ କୋଟିରେ କିଣିଥିଲେ। ୨୦୧୭ରେ ସେ ୬ଟି ମ୍ୟାଚରେ ୨ ୱିକେଟ୍ ନେଇଥିଲେ। ୨୦୧୮ରେ ସେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଥିଲେ। ହାଇଦ୍ରାବାଦ ତାଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲେ। କିନ୍ତୁ ୨୦୧୮ ଓ ୨୦୧୯ ରେ ତାଙ୍କୁ ଖେଳିବାକୁ ମଉକା ମିଳିନଥିଲା। ଆଇପିଏଲ ୨୦୨୦ରେ ନଟରାଜନ ନିଜ ୟୋର୍କର୍ସରେ ବଡ ବଡ ଖେଳାଳିଙ୍କୁ ଆଚମ୍ବିତ କରିଦେଇଥିଲେ। ୨୦୨୦ ଆଇପିଏଲରେ ସେ ୧୬ଟି ମ୍ୟାଚରେ ୧୬ ୱିକେଟ୍ ନେଇଥିଲେ।