ଓଭରରେ ଗୋଟିଏ ବଲ୍ କମ ଫିଙ୍ଗିବାରୁ ବ୍ୟାଟ୍‌ରେ ପିଟିଦେଲା ସାଥି ଖେଳାଳି, ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | April 14, 2021 IST

ଇନ୍ଦୋର ୧୪/୪: କରୋନା ମହାମାରୀ ପୁଣି ଥରେ ଘାତକ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଛି। ଏହା ସତ୍ବେ ଲୋକେ ମଉଜ୍‌ କରିବାରେ ବ୍ୟସ୍ତ ରହୁଛନ୍ତି। ସତେ ଯେମିତି କରୋନା ଭୂତାଣୁ ବୋଲି କିଛି ନାହିଁ। ଟାଇମ୍‌ ପାସ୍‌ କରୁଛନ୍ତି ସତ, କିନ୍ତୁ ଏହା ଜୀବନ ନେଇପାରେ ବୋଲି କେହି ଭାବିନଥିବେ। କରୋନା ଲକଡାଉନ୍‌ ସତ୍ବେ ଘରେ ମିଛ କହି ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳିବାକୁ ଯାଇଥିବା ଜଣେ ଯୁବକର ମୃତ୍ୟୁ ହୋଇଛି।

ଗୋଟିଏ ଓଭରରେ ଗୋଟିଏ ବଲ୍‌ କମ୍‌ ପକାଇବାରୁ ନେଇ ହୋଇଥିବା ଝଗଡ଼ା ଶେଷରେ ଜଣଙ୍କ ଜୀବନ ନେଇଗଲା। କମ୍‌ ବଲ ପକାଇବାକୁ ନେଇ ଉଠିଥିବା ବିବାଦ ଉଗ୍ର ହେବା ପରେ ଜଣେ ସାଥି ଖେଳାଳିଙ୍କ ବ୍ୟାଟ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାଟି ମଧ୍ୟପ୍ରଦେଶର ମହ୍ଲାରଗଞ୍ଜରେ ଘଟିଛି। କରୋନା କର୍ଫ୍ୟୁ ଲାଗିଥିବା ବେଳେ ୟଶ ଜୈନ ନିଜ ପିତାଙ୍କୁ ମିଛ କହି ସ୍ଥାନୀୟ ସ୍କୁଲ୍‌ ପଡ଼ିଆକୁ କ୍ରିକେଟ ଖେଳିବାକୁ ପହଞ୍ଚିଥିଲେ।

ପୂର୍ବରୁ ଉପସ୍ଥିତ ଥିବା ବନ୍ଧୁମାନଙ୍କ ସହ ଖେଳିଥିଲେ। କିନ୍ତୁ କିଏ ଜାଣିଥିଲା ସନ୍ଧ୍ୟାବେଳର ସେ ଖେଳ ତାଙ୍କ ଜୀବନର ଶେଷ ଖେଳ ହେବ ବୋଲି। ୟଶ ବୋଲିଂ କରୁଥିବା ବେଳେ ଗୋଟିଏ ବଲ୍‌ କମ୍‌ ବୋଲିଂ କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସେଠାରେ ଖେଳୁଥିବା ଅନ୍ୟ ଜଣେ ଯୁବକ କରଣ ଶର୍ମା ୟଶଙ୍କ ମୁଣ୍ଡକୁ ବ୍ୟାଟରେ ପ୍ରହାର କରିଥିଲା। ପରେ ଗୁରୁତର ଅବସ୍ଥାରେ ୟଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ କରଣ ଶର୍ମାକୁ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.