କରୋନା ସମୟରେ ବି ଖୁସିର ଖବର : ଭାରତୀୟ ପରିବାର ହୋଇଛନ୍ତି ଧନୀ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪।୧୦: ସାରା ବିଶ୍ୱର ଅର୍ଥନୀତକୁ ଭାଙ୍ଗିଦେଇଛି କରୋନା ମହାମାରୀ । ଦିନ ଗଡିବା ସହ କରୋନାର ପ୍ରକୋପ ଜାରି ରହିଛି , ଏବଂ ଲୋକଙ୍କ ଧନ ଜୀବନ ଓ ସମ୍ପତ୍ତି ବହୁ ମାତ୍ରରେ ପ୍ରଭାବିତ ହେଉଥିବାର ମଧ୍ୟ ରିପୋର୍ଟ ଆସୁଛି । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କ୍ରେଡିଟ୍‌ ସୁଇସ୍‌ ଗ୍ରୁପ ଏଜିର ୨୦୨୦ ଗ୍ଲୋବାଲ୍‌ ଓ୍ୱେଲ୍‌ଥର ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଜଣାପଡିଛି ଯେ, ବିଶ୍ୱରେ ଏଭଳି କଠିନ ସମୟରେ ଭାରତ ଓ ଟୀନ୍‌ରେ ପାରିବାରିକ ସମ୍ପତ୍ତି ବୃଦ୍ଧି ପାଇଛି । କରୋନା କାଳରେ ଅନେକ ପରିବାର ସେମାନଙ୍କ ସମ୍ପତ୍ତିକୁ ବ୍ୟବହାର ନ କରି ସାଇତି ରଖିଥିବାବେଳେ,  ଅନେକ ପରିବାର ବିପୁଳ ପରିମାଣରେ ସମ୍ପତ୍ତି ଠୁଳ କରିଥିବା ରିପୋର୍ଟରେ ଉଲ୍ଲେଖ ରାଯାଇଛି ।

ରିପୋର୍ଟ ଅନୁଯାୟୀ, ଚଳିତବର୍ଷର ପ୍ରଥମାର୍ଦ୍ଧରେ କେବଳ ଚୀନ୍‌ ଏବଂ ଭାରତରେ ପାରିବାରିକ ସମ୍ପତ୍ତି ବୃଦ୍ଧି ପାଇଥିବା ଜଣାଯାଇଛି।ଉଭୟ ଦେଶରେ ପାରିବାରିକ ସମ୍ପତ୍ତି ଯଥାକ୍ରମେ ୪.୪% ଏବଂ ୧.୬% ବୃଦ୍ଧି ପାଇଥିବା ଜଣାଯାଇଛି । ବିଭିନ୍ନ ଦେଶରେ କୋଭିଡ୍‌-୧୯ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଜୁନ୍‌ ସୁଦ୍ଧା ବିଶ୍ୱ ସମ୍ପତ୍ତିରେ ୧ ଲକ୍ଷ କୋଟି ଡଲାର ବୃଦ୍ଧି ଘଟିଛି । ବର୍ଷର ପ୍ରଥମ ତ୍ରୟମାସରେ ଏହା ସଙ୍କୁଚିତ ହୋଇଥିଲା ।

ରିପୋର୍ଟ ପ୍ରସ୍ତୁତିରେ ଯୋଗଦାନ ଦେଇଥିବା ଅର୍ଥନୀତିଜ୍ଞ ଆଣ୍ଟୋନି ସୋରକ୍ସଙ୍କ ଅନୁଯଆୟୀ, କୋଭିଡ୍‌-୧୯ ବିଶ୍ୱ ଅର୍ଥନୀତିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ଏହା ସତ୍ତ୍ୱେ ବିଶ୍ୱବାସୀଙ୍କ ପାରିବାରିକ ସମ୍ପତ୍ତି ବୃଦ୍ଧି ଉତ୍ସାହଜନକ । ଏଥିରେ କରୋନାର ପ୍ରଭାବ ପଡିନାହିଁ ।ଅର୍ଥନୀତି ସୁଧୁରିବା ସହ ଆସନ୍ତା ବର୍ଷ ବିଶ୍ୱବାସୀଙ୍କ ସମ୍ପତ୍ତି ଠୁଳ ପ୍ରକ୍ରିୟା ବଢ଼ିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆମେରିକାରେ କୋଭିଡ୍‌ର ପ୍ରଭାବ ବହୁତ ଅଧିକ ରହିଛି। ଉତ୍ତର ଆମେରିକାରେ ବ୍ୟକ୍ତି ପିଛା ସମ୍ପତ୍ତି ଚଳିତ ବର୍ଷ ୫% ହ୍ରାସ ପାଇବ ବୋଲି ଅନୁମାନ  କରାଯାଇଛି । ୨୦୨୧ରେ ଏଠାରେ ସମାନ ସ୍ଥିତି ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଲାଟିନ ଆମେରିକାରେ ପାରିବାରିକ ସମ୍ପତ୍ତି ୧୩% ସଙ୍କୁଚିତ ହୋଇଛି । ବିଶେଷ କରି ପ୍ରଚଳିତ ମୁଦ୍ରାର ବିନିମୟ ମୂଲ୍ୟ ଦୁର୍ବଳ ହେବା ଯୋଗୁ ଏ ସ୍ଥିତି ଦେଖାଦେଇଛି ।

ଅନ୍ୟପଟେ ସୁଇଜରଲାଣ୍ଡ, ନେଦରଲାଣ୍ଡ, ତାଇପେଇ ଏବଂ ହଂକଂ ଆଦି ରାଷ୍ଟ୍ରରେ ବ୍ୟକ୍ତି ପିଛା ସମ୍ପତ୍ତି ବୃଦ୍ଧି ପାଇଥିବାବେଳେ ନର୍‌ୱେ ଏବଂ ବ୍ରିଟେନରେ ଏଥିରେ ବଡ଼ ଧରଣର ହ୍ରାସ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗତବର୍ଷ ବିଶ୍ୱରେ ନିୟୁତପତିଙ୍କ ସଂଖ୍ୟା ୫.୧୯ କୋଟିକୁ ବୃଦ୍ଧି ପାଇଥିବାବେଳେ ଏ ବର୍ଷ ସ୍ଥିର ରହିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଆମେରିକାରେ ଅନେକ ଲୋକ ନିଯୁକ୍ତି ହରାଇଥିବାବେଳେ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ସମ୍ପତ୍ତି ଏବର୍ଷ ୭୩୦୦ କୋଟି ଡଲାର ବୃଦ୍ଧି ପାଇ ୧୮୮୦୦ କୋଟି ଡଲାରରେ ପହଞ୍ଚିଛି । ସେହିଭଳି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକ୍କରବର୍ଗଙ୍କ ସମ୍ପତ୍ତି ୨୭୦୦ କୋଟି ଡଲାର ବୃଦ୍ଧି ଘଟି ୧୦୫୦୦ କୋଟି ଡଲାରରେ ପହଞ୍ଚିଛି । ଯେଉଁଠି ବୃହତ୍‌ ସଂଖ୍ୟାରେ ଲୋକଙ୍କ ନିଯୁକ୍ତି ଚାଲିଯାଉଛି ସେଠାରେ ଟେକ୍ନୋଲୋଜି କ୍ଷେତ୍ରରେ ଧନୀମାନଙ୍କ ସମ୍ପତ୍ତି ବୃଦ୍ଧିକୁ ନେଇ ଚର୍ଚ୍ଚା ହେଉଛି । ବ୍ଲୁମ୍‌ବର୍ଗ ସୂଚୀ ଅନୁସାରେ ବିଶ୍ୱର ୫୦୦ ଧନୀ ଏବର୍ଷ ୯୭୦୦୦ କୋଟି ଡଲାର ଯୋଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.