କୋଲକାତା : ଯଦି ଆପଣଙ୍କ ଫୋନକୁ କଲ୍ ଆସେ ଓ କେହି ଆପଣଙ୍କୁ କ୍ରେଡିଟ୍ ବା ଡେବିଟ୍ କାର୍ଡ କରେଇ ଦେବେ ବୋଲି କହେ ତେବେ ସାବଧାନ। କାରଣ ଏଭଳି ଲୋକେ ଆପଣଙ୍କ ଆକାଉଣ୍ଟରେ ଝାଡୁ ମାରିଦେଇପାରନ୍ତି। ଏବେ ଲୁଟେରା ନିଜକୁ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ଡେବିଟ୍ ଓ କ୍ରେଡିଟ୍ କାର୍ଡ କରାଇଦେବେ କହୁଛନ୍ତି। ଏହି ବାହାନାରେ ସେମାନେ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟି ନେଉଥିବାର ଅଭିଯୋଗ ହେଲାଣି ।
ଏହିଭଳି ଏକ ମାମଲା ଆସାମର ବଶିଷ୍ଠା ପୋଲିସ ଉଜାଗର କରିଛି। ପୋଲିସ ଲକ୍ଷ୍ମୀପୁର ଜିଲ୍ଲାର ଜନୈକ ବ୍ୟକ୍ତିଙ୍କୁ ଗୌହାଟୀରେ ଏକ ପରିବାରକୁ ୫୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ଗିରଫ କରିଛି। ଏହି ବ୍ୟକ୍ତି ବ୍ୟାଙ୍କ ଖାତା ଓ ଅନ୍ୟ ସୂଚନା ହାସଲ କରି ପରିବାର ଲୋକଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଇନେଇଥିଲା।
ମିଳିଥିବା ସୂଚନା ଅନୁସାରେ ଗିରଫ ବ୍ୟକ୍ତି ନକୂଲ ବୋରା ନିଜକୁ ଏକ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ପରିବାରଲୋକଙ୍କ ସହ ସମ୍ପର୍କ ସ୍ଥାପନା କରିଥିଲା। ଅମିନୁଲ ଇସ୍ଲାମ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ କାଗଜପତ୍ର ନେଇ ଏକ କ୍ରେଡିଟ୍ କାର୍ଡ କରିବା ପରେ ନିଜେ କାର୍ଡ ରଖି ଫେରାର ହୋଇଯାଇଥିଲା। ପରେ ସେହି କ୍ରେଡିଟ୍ କାର୍ଡରୁ ୫୦ ହଜାର ଟଙ୍କା ବି ଉଠାଇନେଇଥିଲା। ବ୍ୟାଙ୍କରୁ ଏ ନେଇ ସୂଚନା ମିଳିବା ପରେ ଅମିନୁଲ ପୋଲିସର ଦ୍ୱାରସ୍ଥ ହୋଇଥିଲେ। କେବଳ ସେତିକି ନୁହେଁ ନକୂଲ ଫେସବୁକରେ ବାବୁ ବୋରା ନାମରେ ଏକ ଫେକ ଆକାଉଣ୍ଟ କରି ଲୋକଙ୍କୁ ବ୍ୟାଙ୍କ ଲୋନ ଆଡଭାଇସ୍ ବି ଦେଉଥିଲା। ଏହି ବାହାନାରେ କେତେକ ଲୋକଙ୍କଠାରୁ ଲୋନ କରାଇଦେବ କହି ଟଙ୍କା ଠକେଇ କରିଥିବା ପୋଲିସରେ ମାନିଛି।