ରାଜ୍ୟରେ ସୃଷ୍ଟି ହେଲା ଅଧିକ ୨ହଜାର ଡାକ୍ତର ପଦବୀ

Published By : Prameya-News7 Bureau | August 03, 2019 IST

ଭୁବନେଶ୍ୱର ୩।୮: ଓଡିଶା ମେଡିକାଲ ଏବଂ ହେଲଥ୍ ସର୍ଭିସ (ଓଏମଏଚଏସ୍) କ୍ୟାଡରରେ ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଗୃପ-ଏ କନିଷ୍ଠ ଶାଖାରେ ଏହି ପଦବୀ ସୃଷ୍ଟି ହୋଇଥିବା  ନେଇ କମିଶନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କ ୩ ଅଗଷ୍ଟ ପତ୍ର ସଂଖ୍ୟା ୧୯୫୪୭ରେ ମହାଲେଖ ଅଧିକ୍ଷକଙ୍କୁ ସୂଚିତ କରିଛନ୍ତି। ଏ ନେଇ ପ୍ରସ୍ତାବକୁ ରାଜ୍ୟପାଳଙ୍କ ସ୍ବୀକୃତି ମିଳିଥିବା ନେଇ ଡା.ମେହେର୍ଦ୍ଦା ତାଙ୍କ ପତ୍ରରେ ସୂଚିତ କରିଥିବା ବେଳେ ଏହି ପଦବୀରେ ନିଯୁକ୍ତି ନିମନ୍ତେ ବେତନ ହାର ଓ ଅନ୍ୟାନ୍ୟ ନିଯୁକ୍ତି ସର୍ତ୍ତାବଳୀ ଓଆରଏସି ରୁଲସ ୨୦୧୭ ଅନୁସାରେ ହେବ।

୧୩ଟି ନୂଆ ପିଏଚସି ସମେତ ୫ ସିଏଚସି, ୭ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ରିକ୍ତ ଡାକ୍ତର ପଦବୀରେ ଏହି ସବୁ ନିଯୁକ୍ତି ହେବାକୁ ଥିବା ବେଳେ ବଳକା ଡାକ୍ତରଙ୍କୁ ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ ଲେଖାଏଁ ଡାକ୍ତର ହିସାବରେ ୩୭୪ଟି ସିଏଚସିରେ ନିଯୁକ୍ତି କରାଯିବ ବୋଲି ଡା.ମେହେର୍ଦ୍ଦା ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ତାଙ୍କ ପତ୍ରର ନକଲ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସର୍ବସାଧାରଣ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଠାଇ ଦିଆଯାଇଛି। ଏହି ସବୁ ଡାକ୍ତର ପଦବୀ ପୂରଣ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଥିବା ଡାକ୍ତରଙ୍କ ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.