ବିସ୍ଫୋରଣରେ ଥରିଲା ବାଣ କାରଖାନା, ୩ ମୃତ

Published By : Prameya-News7 Bureau | May 04, 2020 IST

ଲକ୍ଷ୍ନୌ, ୦୪୦୫ ଉତ୍ତର ପ୍ରଦେଶର କେସାମ୍ବେ ଜିଲ୍ଲାରେ ସୋମବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଅଘଟଣରେ ୩ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରୟାଗରାଜର ଏସଆରଏମ  ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ପୋଲିସ ପହଁଚି ଫସି ରହିଥିବା ଲୋକଙ୍କୁ କାରଖାନା ମଧ୍ୟରୁ ବାହାର କରିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାଯ୍ୟ କରିଥିଲେ । ସେତବେଳକୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ପରେ ଆଉ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ମୃତକମାନେ ହେଲେ ଗୀତା, ରାଧିକା ଓ ପୁଷ୍ପା । ଅନ୍ୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖାପାଖରେ ଥିବା କିଛି ଘର ମଧ୍ୟ ଥରି ଉଠିଥିଲା । ଅନେକ ଘରର କବାଟ, କାଚ ଆଦି ଭାଙ୍ଗିଯାଇଛି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସିଲିଣ୍ଡର ବିସ୍ଫୋରଣ ଘଟି ଏପରି ହୋଇଥିବା କୁହାଯାଉଛି । ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ କାରଖାନାରେ ସିରିଜ ବିସ୍ଫୋରଣ ହୋଇଥିଲା । ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ବିସ୍ଫୋରଣର ପ୍ରକୃତ କାରଣ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.