୧୩ ଦଫା ଦାବି ନେଇ ସିପିଆଇ ପକ୍ଷରୁ ତହସିଲ ଅଫିସ ଘେରାଉ, ଆଦିବାସୀଙ୍କୁ ହକ୍‌ ପ୍ରଦାନ ପାଇଁ ଶୋଭାଯାତ୍ରା

Published By : Prameya-News7 Bureau | November 30, 2021 IST

କଂଟାବାଞ୍ଜି ,୩୦/୧୧:  ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ୧୩ ଦଫା ଦାବି ନେଇ କଂଟାବାଞ୍ଜି ତହସିଲ ଅଫିସ ଘେରାଉ କରାଯାଇଥିଲା । ସିପିଆଇ କଂଟାବାଞ୍ଜି ଆଂଚଳିକ କମିଟିର ଶତାଧିକ ମହିଳା ପୁରୁଷ ପୁର୍ବତନ ଜିଲ୍ଲା ସହ ସଂପାଦକ ଗୋପାଳ ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ସାପ୍ତାହିକ ବଜାରରୁ ସହରର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରାରେ ତହସିଲ ଅଫିସ ପହଂଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

ଆଦିବାସୀ ଦଳିତମାନଙ୍କୁ ଦଖଲ ଜମି ପଟ୍ଟା ପ୍ରଦାନ, ବାଦ ପଡିଥିବା ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁରକରି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇବା, ସମସ୍ତ ଆଦିବାସୀ ଦଳିତ ମୂଲିଆ ଚାଷିମାନଙ୍କୁ ୫୫ ବର୍ଷରେ ୩ ହଜାର ଟଙ୍କା ପେନସନ ପ୍ରଦାନ କରିବା, ମୂଲିଆମାନଙ୍କ ୨୦୦ ଦିନର କାମ ଯୋଗାଇ ଦେବା ସହ ୬ ଶହ ଟଙ୍କା ମଜୁରି ଧାର୍ଯ୍ୟ କରିବା, ଆଦିବାସୀ ଦଳିତ ମୂଲିଆ ଉପରେ ହେଉଥିବା ସାମାଜିକ ନିର୍ଯ୍ୟାତନା ବନ୍ଦ କରିବା, ନିତ୍ୟ ବ୍ୟବହାର କାର୍ଯ୍ୟ ଜିନିଷ ଦରଦାମ ହ୍ରାସ କରାଯାଉ, ସମସ୍ତ କୃଷି ଋଣ ଛାଡ କରାଯାଉ, ଧାନ କୁଇଣ୍ଟାଲ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଉ, ଜଳ ସେଚନ ବ୍ୟବସ୍ଥା ତ୍ୱରାନିତ କରାଯାଉ, କ୍ଷେତ ମୁଲିଆଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯାଉ, ବିପିଏଲ କାର୍ଡ ସମସ୍ତଙ୍କୁ ପ୍ରଦାନ କରାଯାଉ, ପାଚିକା ଆଶା ଅଙ୍ଗନୱାଡି କର୍ମୀ ମାନଙ୍କ ମାସିକ ପାଉଣା ୧୮ ହଜାର କରାଯିବା ଭଳି ୧୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅନୁପସ୍ଥିତ ଯୋଗୁ  ଅଫିସ କିରାଣୀଙ୍କୁ ପ୍ରଦାନ କରିଥିଲେ । ଏହି ଘେରାଉରେ ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ଖଗସା ଶାଖା ସଂପାଦକ ଉତ୍ତମ ମଲ୍ଲିକ, ପାଣ୍ଡବ ଭୋଇ, କମଲଲୋଚନ ଭୋଇଙ୍କ ସହ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.