କହ୍ନେୟାଙ୍କ ନିରବତାକୁ ନେଇ ଚିନ୍ତାରେ ସିପିଆଇ, ଅପେକ୍ଷା କରିଥିଲେ ବରିଷ୍ଠ ନେତା, ହେଲେ ଆସିଲେନି ଜେଏନୟୁର ପୂର୍ବତନ ସଭାପତି

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭।୦୯: କହ୍ନେୟା କୁମାରଙ୍କ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ମଙ୍ଗଳବାର ହାତ ଧରି ପାରନ୍ତି ବୋଲି କୁହାଯାଉଛି। କିନ୍ତୁ ସିପିଆଇ ପାଖରେ ଏ ସଂପର୍କରେ କୌଣସି ଖବର ନାହିଁ। ପାର୍ଟି ନେତାଙ୍କଠୁ ନେଇ କାର୍ଯ୍ୟକର୍ତ୍ତା ମଧ୍ୟ କହ୍ନେୟାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଚର୍ଚ୍ଚା କରୁଛନ୍ତି। କହ୍ନେୟା କୁମାର ଏହି ପ୍ରସଙ୍ଗରେ ମୁହଁ ନଖୋଲିବା କଳ୍ପନାଜଳ୍ପନାକୁ ଆହୁରି ଜୋର କରିଛି। ଗତ ମଙ୍ଗଳବାର ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟାଙ୍କୁ ଦିଲ୍ଲୀରେ ପାର୍ଟିର ନେତା ଅପେକ୍ଷା କରି ବସିଥିଲେ। କହ୍ନେୟା ଆସିବେ ଏବଂ ନିଜର ପ୍ରତିକ୍ରିୟା ରଖିବେ ବୋଲି ପାର୍ଟି ହାଇକମାଣ୍ଡ ଚାହିଁ  ରହିଥିଲେ। ହେଲେ କୁମାର ପାର୍ଟି କାର୍ଯ୍ୟାଳୟ ଆସିନଥିଲେ। କହ୍ନେୟାଙ୍କ ଏପରି ଆଭିମୁଖ୍ୟରେ ଦଳ ଅସନ୍ତୋଷ ବ୍ୟକ୍ତ କରିଛି।

ଶୀଘ୍ର ସେ କଂଗ୍ରେସରେ ଯୋଗ ଦେବା ଖବରକୁ ନେ କହ୍ନେୟା କୁମାର ଏବଂ ସିପିଏମ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥିବା କୁହାଯାଉଛି। କହ୍ନେୟାଙ୍କ ବ୍ୟତୀତ ଗୁଜରାଟର ଦଳିତ ନେତା ଜିଗ୍ନେଶ ମେଓ୍ଵାଣୀ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇ ପାରନ୍ତି। ସିପିଆଇ ନେତା କହିଛନ୍ତି, ପାର୍ଟିର ସାଧାରଣ ସଂପାଦକ ଡି ରାଜା କହିଥଲେ ଯେ, ସାମ୍ବାଦିକ ସମ୍ମିଳନୀ କରି କହ୍ନେୟା କୁମାର ଏହି ସବୁ ଗୁଜବ ଖାରଜ କରନ୍ତୁ। କିନ୍ତୁ କହ୍ନେୟା କୁମାର ପାର୍ଟି କାର୍ଯ୍ୟାଳୟ ଗଲେ ନାହିଁ। ଏପରିକି ବରିଷ୍ଠ ନେତାଙ୍କ ପକ୍ଷରୁ କୁହ୍ନେୟା କୁମାରଙ୍କୁ ମେସେଜ୍ ଓ ଫୋନ ମଧ୍ୟ କରାଗଲା। ହେଲେ ଜେଏନୟୁର ପୂର୍ବତନ ସଭାପତିଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା।

ଅନେକ ଦିନ ଧରି କହ୍ନେୟାଙ୍କ କଂଗ୍ରେସରେ ସାମିଲ୍ ନେଇ ଚର୍ଚ୍ଚା ଜାରି ରହିଛି। ତଥାପି କହ୍ନେୟା କୁମାର ଏହି ବିଷୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। ଗତ ଶନିବାର ଗୁଜରାଟର ବିଧାୟକ ଜିଗ୍ନେଶ ମେଓ୍ଵାଣୀ କହିଥିଲେ  ଯେ, ସେ ଏବଂ କହ୍ନେୟା କୁମାର ସେପ୍ଟେମ୍ବର ୨୮ରେ କଂଗ୍ରେସରେ ମିଶିବେ। ଏହି ଦିନ ସହିଦ ଭଗତ ସିଂହଙ୍କ ଜୟନ୍ତୀ। କୁହାଯାଉଛି କହ୍ନେୟା କୁମାର ନିଜ ଦଳ ପ୍ରତି ଖୁସି ନାହାନ୍ତି। ସେ ପାର୍ଟିରେ ବଡ ଭୂମିକା ନିଭାଇବାକୁ ଚାହାନ୍ତି। ହେଲେ ତାଙ୍କୁ ବଡ ଦାୟିତ୍ଵ ମିଳୁନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.