ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଓଡ଼ିଶାରେ ସେନା ପରୀକ୍ଷାକୁ ପୋଲିସର ନା’, ହେଲେ ଆର୍ମି କମାଣ୍ଡାଣ୍ଟ କହିଲେ ପରୀକ୍ଷା ହେବ
16/10/2019 at 8:59 PM

ଭୁବନେଶ୍ୱର୧୬।୧୦ – ଓଡ଼ିଶାରେ ସେନା ପରୀକ୍ଷାକୁ ପୋଲିସର ନା’ । ଗତକାଲି ଭୁବନେଶ୍ବର ରେଲଓ୍ବେ ଷ୍ଟେସନରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଆଗକୁ ଏଭଳି ପରୀକ୍ଷା ଓଡ଼ିଶାରେ ନ କରିବାକୁ ୧୨୦ ବାଟାଲିୟନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଆର୍ମି ହେଡ୍କ୍ବାର୍ଟରକୁ ଚିଠି ଲେଖିଛନ୍ତି । ହେଲେ ଆର୍ମି କମାଣ୍ଡାଣ୍ଟ ଏହି ପରୀକ୍ଷା ହେବ ବୋଲି କହିଛନ୍ତି । ପୁଲିସ କମିଶନରଙ୍କ ଏପରି କିଛି ଚିଠି ମିଳିନାହିଁ ବୋଲ ସେ କହିଛନ୍ତି । ଏଥର ପରୀକ୍ଷାର୍ଥୀ ଦୁଇ ଗୁଣ ବଢିଛନ୍ତି ।ଏବେ ୟୁପି ଓ ବିହାର ପରୀକ୍ଷାର୍ଥୀଙ୍କର ପରୀକ୍ଷା ଚାଲିଛି ବୋଲି ସେ କହିଛନ୍ତି । ଓଡ଼ିଶାରୁ ୧୧ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସେ କହିଛନ୍ତି ।

ପରୀକ୍ଷା ଦେବାକୁ ଆସି ଭୁବନେଶ୍ବର ଷ୍ଟେସନରେ ତୁମୁଳକାଣ୍ଡ କଲେ । ଏମିତି ଉତ୍ପାତ ହେଲେ, ଯେ ପୋଲିସ ଆଖିରୁ ନିଦ ହଜାଇଦେଲେ । ଏକ୍ସପ୍ରେସ ଟ୍ରେନ୍ରେ ଜୋର ଜବରଦସ୍ତ ଚଢ଼ିଲେ । ବାରମ୍ବାର ଚେନ୍ ଟାଣି ଟ୍ରେନ୍ ଅଟକାଇଲେ । ରେଳ ଧାରଣା ଉପରେ ବସିଲେ । ଲଗେଜ୍ ଭ୍ୟାନ୍ର ତାଲା ଭାଙ୍ଗିଲେ । ପୋଲିସ ଆଉ ଆରପିଏଫ୍ଙ୍କୁ ପୂରା ନାକେଦମ୍ କରିଦେଲେ । ଏମାନଙ୍କ ପାଇଁ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅକଥନୀୟ ନିର୍ଯ୍ୟାତନା ସହିବାକୁ ପଡ଼ିଲା । ବିହାର ଓ ଉତ୍ତର ପ୍ରଦେଶ ପରୀକ୍ଷାର୍ଥୀଙ୍କ ଉତ୍ପାତକୁ ଦେଖି ଆଉ ଭୁବନେଶ୍ବରରେ ଆର୍ମି ପରୀକ୍ଷା ନକରାଇବାକୁ ଆର୍ମି ହେଡକ୍ବାର୍ଟରକୁ ଚିଠି ଲେଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ସେନାରେ ସାମିଲ ହେବା ଲାଗି ବାହାରିଥିବା ୮୪ ପଦବୀ ପାଇଁ ପରୀକ୍ଷା ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ୪୦ହଜାର ପରୀକ୍ଷାର୍ଥୀ ଭୁବନେଶ୍ବର ଆସିଛନ୍ତି । ଫୁଟପାଥରେ ଶୋଉଥିବା ଦେଖି ପରୀକ୍ଷାର୍ଥୀଙ୍କ ପାଇଁ ପୋଲିସ ଟେଣ୍ଟ ବ୍ୟବସ୍ଥା ମଧ୍ୟ କରିଥିଲା । ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ତା’ପରେ ମଧ୍ୟ କିଛି ପରୀକ୍ଷାର୍ଥୀଙ୍କ ଏଭଳି ତୁମୁଳ କାଣ୍ଡକୁ ନେଇ ଉଠିଛି ପ୍ରଶ୍ନ ।

ତେବେ ଆଗକୁ ଆହୁରି କିଛି ବାହାର ରାଜ୍ୟର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ସେପଟେ ପୁରୀ ସମୁଦ୍ରରେ ଗାଧୋଇବାକୁ ଯାଇଥିବା ବେଳେ ୟୁପିର ଦୁଇ ପରୀକ୍ଷାର୍ଥୀ ନିଖୋଜ ହୋଇଯାଇଥିଲେ । ଆଜି ଲାଇଫଗାର୍ଡ଼ ଏବଂ ଫାୟାର ବ୍ରିଗେଡ୍ ଟିମ୍ ସମୁଦ୍ରରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ମାତ୍ର ୮୪ ପଦବୀ ପାଇଁ ହଜାର ହଜାର ପିଲା ପରୀକ୍ଷା ଦେବାକୁ ଗୋଟିଏ ଯାଗାରେ ଏକାଠି ହେବା ପରେ ଏଭଳି ବିଶୃଙ୍ଖଳା ସାମ୍ନାକୁ ଆସିଛି । ମାତ୍ର ୮୪ପଦବୀ ପାଇଁ ୪୦ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଆବେଦନକୁ ଦେଖିଲେ ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ ଅବସ୍ଥା ଧାରଣ କରିଛି ତାହା ସହଜରେ ଅନୁମାନ କରିହେଉଛି ।
