ମଣିଷ ପାଇଁ ବଳି ପଡ଼ୁଛନ୍ତି ନିରୀହ ପଶୁ, ବିଷାକ୍ତ ମଦ ପିଇ ଦେବାରୁ ପ୍ରାଣ ହରାଇଲେ ୫ ଗାଈ
17/01/2021 at 10:36 PM

ଭୋପାଳ ୧୭/୦୧: ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ଏବେ ସୁଦ୍ଧା ଦୁଇ ଡଜନରୁ ଅଧିକ ଲୋକ ମୃତ୍ୟବରଣ କଲେଣି। ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ବିଷାକ୍ତ ମଦ ନିରୀହ ଗୋରୁ ଗାଈଙ୍କ ଜୀବନ ମଧ୍ୟ ନେଉଛି। ଭୋପାଳରୁ ୪୦୫ କିମି ଦୂରରେ ଥିବା ନତିଆ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦେବାରୁ ୫ ଗାଈ ପ୍ରାଣ ହରାଇଛନ୍ତି। ତେବେ ଏହି ମାମଲାରେ ଜିଲ୍ଲାପାଳ ନିଜେ ଯାଞ୍ଚ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଇନ୍ଦ୍ରଗଢ଼ ଅଞ୍ଚଳରେ ଥିବା କଞ୍ଜର ବସ୍ତିରେ ଶୁକ୍ରବାର ଦିନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଶହ ଶହ ଲିଟର ମଦ ଜବତ କରିବା ସହ ନଷ୍ଟ କରିଥିଲେ। ଏହି ସମୟରେ ୨୦ଟି ଗାଈ ମଦ ପିଇ ଦେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଗାଈ ଶନିବାର ମୃତ୍ୟୁବରଣ କରିଥିବା ବେଳେ ରବିବାର ଆଉ ଦୁଇଟି ଗାଈ ଆଖିବୁଜିଛନ୍ତି। ପୋଷ୍ଟମର୍ଟମ ପରେ ସମସ୍ତ ଗାଇଁ ପୋତି ଦିଆଯାଇଛି। ଏବେ ବି ୧୫ଟି ଗାଈର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଅନ୍ୟପଟେ ବିଷାକ୍ତ ମଦ ପିଇ ୯ଟି ଗାଈ ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ୯ଟି ଗାଈର ମୃତ୍ୟୁ ହୋଇଛି କିନ୍ତୁ ଜିଲ୍ଲା ପ୍ରଶାସନ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛି। ଅଧିକାରୀଙ୍କ ଅବହେଳା ଯୋଗୁ ଗାଈଢ଼ାନଙ୍କର ମୃତ୍ୟୁ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଶିଶୁପାଳ ସିଂହ ଚୌହାନ ଦାବି କରିଛନ୍ତି।