କୋଭିଡ୍ ଭାକସିନରେ ଗାଈ ରକ୍ତ ମିଶିଛି, ଟିକା ନିଅନି
29/12/2020 at 3:11 PM

ନୂଆଦିଲ୍ଲୀ,୨୯/୧୨: କରୋନା ଭାଇରସର ଆତଙ୍କ ଥମିନାହିଁ । କୋଭିଡ୍ ଭାକସିନ୍ କେବେ ଆସିବ ତାକୁ ନେଇ ଅନେକ ଦେଶ ଉତ୍ସାହିତ ଅଛନ୍ତି । କିଛି ଦେଶରେ ଟିକାକରଣ ଆରମ୍ଭ ମଧ୍ୟ ହୋଇଗଲାଣି । ଭାରତରେ ମଧ୍ୟ ଭାକସିନର କ୍ଲିନିକାଲ ଟ୍ରାଏଲ ଚାଲିଛି । ଅତିଶୀଘ୍ର ଟିକା ଆସିବ ବୋଲି ଆଶା କରାଯାଉଛି । କିନ୍ତୁ ହିନ୍ଦୁ ମହାସଭାର ନେତା ସ୍ୱାମୀ ଚକ୍ରପାଣିଙ୍କ ବୟାନ ଏବେ ବିବାଦ ବଢାଇ ଦେଇଛି ।
ସ୍ୱାମୀ ଚକ୍ରପାଣି କହିଛନ୍ତି ଯେ, ହିନ୍ଦୁମାନେ ଟିକା ନନେବା ଦରକାର । କାରଣ ଏଥିରେ ଗାଈର ରକ୍ତ ରହିଛି । ଏଥିପାଇଁ ଦେଶରେ ଏହାକୁ ବ୍ୟବହାର ପାଇଁ ଅନୁମତି ଦେବା ଅନୁଚିତ । ଏଥିପାଇଁ ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାକସିନ ଦେଶକୁ ଆଣିବା ପୂର୍ବରୁ ଭାରତ ସରକାର କିଛି କଥା ସ୍ପଷ୍ଟ କରିବା ଦରକାର । ଭାକସିନରେ ଗାଈର ରକ୍ତ ବା ଏପରି କିଛି ପଦାର୍ଥ ନଥିବା ଦରକାର ଯାହା ସନାତନ ଧର୍ମର ଭାବନାକୁ କ୍ଷତି ପହଁଚାଇବ । କରୋନା ଅତିଶୀଘ୍ର ଦୂର ହେଉ କିନ୍ତୁ ଏଥିପାଇଁ ନିଜ ଧର୍ମ ନଷ୍ଟ କରିହେବ ନାହିଁ ।
ସେ ଆହୁରି କହିଛନ୍ତି ଯେ, ଯେକୌଣସି ଔଷଧ ତିଆରି ହେଉଛି ତାବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିବା ଜରୁରୀ । ଆମେରିକାରେ ଯେଉଁ ଭାକସିନ୍ ତିଆରି ହୋଇଛି ସେଥିରେ ଗାଈର ରକ୍ତ ମିଶିଥିବା ସୂଚନା ମିଳୁଛି । ହିନ୍ଦୁ ଧର୍ମରେ ଗାଈ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି । ଗାଈ ରକ୍ତ ମନୁଷ୍ୟ ଶରୀରରେ ମିଶିଲେ ଧର୍ମକୁ କ୍ଷତି ପହଁଚିବ । ଜୀବନ ଚାଲିଗଲେ ମଧ୍ୟ ଧର୍ମକୁ ନଷ୍ଟ ହେବାକୁ ଦିଆଯିବ ନାହିଁ । ଗାଈର ରକ୍ତ ମିଶିଛି ନା ନାହିଁ ତାହା ସ୍ପଷ୍ଟ ନେହେଲା ଯାଏଁ ଟିକା ନେବେ ନାହିଁ ବୋଲି ସେ କହିଛନ୍ତି ।