Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାରେ ଗାଇ ଗୋରୁ କରୁଛନ୍ତି ଅବାଧ ବିଚରଣ, ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ କାଞ୍ଜିଆ ହୁଦାରେ ପଡିଛି ତାଲା…

22/07/2019 at 8:16 PM

ରାଉରକେଲା୨୨|୭: ରାଜରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ଜବତ କରିବାକୁ ନିର୍ମାଣ ହୋଇଛି କାଞ୍ଜିଆ ହୁଦା । ମାସିକ ୫୦ ହଜାର ଟଙ୍କା ଦେଇ ଦୁଇ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି । କିନ୍ତୁ କାଞ୍ଜିଆ ହୁଦାରେ ଝୁଲୁଛି ତାଲା । ଏପଟେ ସହରର ଗାଈଗୋରୁ ସବୁ ଖୁଲମଖୁଲା ରାଜରାସ୍ତାରେ ବୁଲୁଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି । ହେଲେ ଏସବୁ ଦେଖି ବି ରାଉରକେଲା ମହାନଗର ନିଗମ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।ଦେଖିବା ରାଉରକେଲାରୁ ଏହି ରିପୋର୍ଟ…

ବିଚ୍ ରାସ୍ତାରେ ଆରାମ କରୁଛନ୍ତି ଗୋମାତା । ଗାଡି ହର୍ନ ଶୁଣି ବି ସେମିତି ବସିରହିଛନ୍ତି । ଟିକେ ବି ହଲଚଲ୍ ହେଉ ନାହାନ୍ତି ।ଟିକେ ଅନ୍ୟମନସ୍କ ହେଲେ ଏମାନଙ୍କ ସହ ଧକ୍କା ହେବାର ଯଥେଷ୍ଟ ସମ୍ଭାବନା ବି ରହିଛି ।ହେଲେ କାହିଁକି ବା ଶୁଣିବେ । ଓଲଟା ଗାଡିମୋଟର ଗୁଡିକ ଏମାନଙ୍କୁ ସାଇଡ୍ ମାରି ଯାଉଛନ୍ତି ।

ଆପଣ ଦେଖୁଥିବା ଏ ଦୃଶ୍ୟ କୌଣସି ଗାଁ ଗହଳିର ନୁହେଁ ।ବରଂ ଇସ୍ପାତ ନଗରୀ ରାଉରକେଲାର ।ଏମିତି ଅବାଧରେ ଗାଈଗୋରୁ ରାସ୍ତାରେ ଆଡ୍ଡା ଜମାଇଥିବାରୁ ଟ୍ରାଫିକ୍ ସମସ୍ୟା ବଢିବା ସହ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି ।ହେଲେ ସବୁ ଦେଖି ଜାଣି ବି ଚୁପ୍ ବସିଛି ରାଉରକେଲା ମହାନଗର ନିଗମ । ଏପଟେ ବୁଲା ଗାଈଗୋରୁଙ୍କ ଜବତ ପାଇଁ ନିର୍ମାଣ ହୋଇଥିବା କାଞ୍ଜିଆ ହୁଦାରେ ଝୁଲୁଛି ତାଲା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ । 

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାଉରକେଲା ମହାନଗର ନିଗମ ବାଲୁଘାଟରେ ନିର୍ମାଣ କରିଥିଲା କାଞ୍ଜିଆ ହୁଦା ।ଉଦ୍ଦେଶ୍ୟ ଥିଲା, ରାଜରାସ୍ତାରେ ଚରାବୁଲା କରୁଥିବା ଗାଈଗୋରୁଙ୍କୁ ଆଣି ଏଠାରେ ରଖାଯିବ ଏବଂ ସଂପୃକ୍ତ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବ । କେବଳ ଏତିକୁ ନୁହେଁ, ମାସିକ ୫୦ହଜାର ଟଙ୍କା ଦରମାରେ ଦୁଇ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି ।

ହେଲେ ଏବେ, ଏଠି ଝୁଲୁଛି ତାଲା । ଏପଟେ ରାଜରାସ୍ତାରେ ବୁଲୁଥିବା ଏହି ଗାଈଗୋରୁଙ୍କୁ ସବୁବେଳେ ନୁହେଁ, ବରଂ ବେଳେବେଳେ ଧରି କାଞ୍ଜିଆ ହୁଦାରେ ରଖାଯାଉଛି ବୋଲି କହିଛନ୍ତି ମହାନଗର ନିଗମ ଡେପୁଟି କମିଶନର । ଏପରିକି ନିୟୋଜିତ ଦୁଇ କର୍ମଚାରୀ ସଠିକ୍ ଭାବେ ଦାୟିତ୍ବ ତୁଲାଉଛନ୍ତି ବୋଲି ମଧ୍ୟ କହିଛନ୍ତି ।

ରାଜରାସ୍ତାରେ ଆଡ୍ଡା ଜମାଇଥିବା ଏହି ଗାଈଗୋରୁଙ୍କୁ ଦେଖିଲେ ହିଁ ଜଣାପଡୁଛି ଯେ, ମହାନଗର ନିଗମର କାଞ୍ଜିଆ ହୁଦା କେତେ କାର୍ଯ୍ୟକାରୀ । କେବଳ ରାଉକେଲା ନୁହେଁ କଟକ , ଭୁବନେଶ୍ବରଭଳି ମହାନଗରରେ ମଧ୍ୟ ସମାନ ପରିସ୍ଥିତି ଲାଗିରହିଛି ।

   Related Posts