କୋଭିସିଲ୍ଡ ଭ୍ୟାକସିନର ଦାମ୍ ଘୋଷଣା: ସରକାରୀ ହସ୍ପିଟାଲରେ ୪୦୦ ଓ ଘରୋଇ ହସ୍ପିଟାଲରେ ଡୋଜ୍ ପ୍ରତି ୬୦୦ ଟଙ୍କା

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୦୪ : ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଭ୍ୟାକସିନରେ ଦାମ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ପାଇଁ କୋଭିସିଲ୍ଡ ଭ୍ୟାକସିନର ପ୍ରତି ଡୋଜର ଦାମ୍ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ପ୍ରତି ଡୋଜ୍ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସଂକ୍ରମଣ ଏଡ଼ାଇବାକୁ କୋଭିସିଲ୍ଡର ଦୁଇଟି ଡୋଜ୍ ନିଆଯାଇଥାଏ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୪ ରୁ ୬ ସପ୍ତାହର ଅନ୍ତର ରହେ।

ସିରମ ଇନଷ୍ଟିଚ୍ୟୁ ସିଇଓ ଆଦର ପୁନାୱାଲା କହିଛନ୍ତି, ଆସନ୍ତା ଦୁଇ ମାସ ପାଇଁ ଟିକା ଉତ୍ପାଦନ କ୍ଷମତା ବଢ଼ାଇବେ। କ୍ଷମତାର ୫୦ ପ୍ରତିଶତ ଟିକା ଭାରତ ସରକାରଙ୍କ ଟିକାକରଣ ଅଭିଯାନକୁ ଦିଆଯିବ ଓ ବାକି ୫୦ ପ୍ରତିଶତ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଦିଆଯିବ। କମ୍ପାନୀ କହିଛି ଯେ ତାଙ୍କ ଟିକା ବାକି ସବୁ ଟିକା ତୁଳନାରେ ସବୁଠାରୁ ଶସ୍ତା। ଆମେରିକୀୟ କମ୍ପାନୀ ଫାଇଜର ଓ ମାଡର୍ଣ୍ଣା ଭ୍ୟାକସିନ୍ ଡୋଜ୍ ପ୍ରତି ୧୫୦୦ ଟଙ୍କା। ସ୍ପୁଟନିକ୍-ଭି ଡୋଜ୍ ପ୍ରତି ଦାମ୍ ୭୫୦ ଟଙ୍କା।

ଭ୍ୟାକସିନ ଉତ୍ପାଦନ ବୃଦ୍ଧି କରିବାକୁ ନିକଟରେ କେନ୍ଦ୍ର ଭ୍ୟାକସିନ ତିଆରି କରୁଥିବା କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟିକକୁ ସମର୍ଥନ ଦେବାକୁ ମଞ୍ଜୁରୀ ଦେଇଥିଲେ। ନିକଟରେ ଅର୍ଥ ମନ୍ତ୍ରାଳୟ ସିରମ୍ ଇନଷ୍ଟିଚ୍ୟୁଟ୍ ପାଇଁ ୩ ହଜାର କୋଟି ଓ ଭାରତ ବାୟୋଟିକକୁ ୧୫୦୦ କୋଟି ଟଙ୍କା ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ ଆଦର ପୁନାୱାଲା କହିଥିଲେ ଯେ ତାଙ୍କୁ ଭ୍ୟାକସିନ ଉତ୍ପାଦନ ପାଇଁ ପାଖାପାଖି ୩ ହଜାର କୋଟି ଟଙ୍କା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.