୫ MLର ଶିଶି, ଭିତରେ ରହିବ ଭ୍ୟାକ୍‌ସିନର ୧୦ ଡୋଜ୍‌: ଜାଣନ୍ତୁ ଦେଶର ପ୍ରଥମ କରୋନା ଟିକା ସମ୍ପର୍କରେ

Published By : Prameya-News7 Bureau | January 01, 2021 IST

୦୧/୦୧: ୨୦୨୦ର କରୋନା ଦୁଃଖ ଏବେ ହୁଏତ ଦୂରେଇ ଯିବ। ନୂଆବର୍ଷର ଖୁସି ସହିତ ଭାରତରେ କରୋନା ଟିକା ପାଇଁ ପ୍ରତିକ୍ଷାର ମଧ୍ୟ ଅନ୍ତ ଘଟିଛି। ସିଡିଏସ୍‌ସିଓ କମିଟି ଶୁକ୍ରବାର କରୋନା ଭ୍ୟାକସିନ୍‌ କୋଭିସିଲ୍ଡର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଅକ୍ସଫୋର୍ଡର ଏହି ଟିକାକୁ ଭାରତରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ) ଉତ୍ପାଦନ କରୁଛି।

କୋଭିସିଲ୍ଡକୁ ମଞ୍ଜୁରୀ ମିଳିଯିବା ପରେ ଭାରତ ସରକାର ଖୁବଶୀଘ୍ର ଟିକାକରଣ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। କରୋନା ଭ୍ୟାକ୍‌ସିନ୍‌କୁ ଅନୁମତି ମିଳିବା ପ​‌ରେ ଆସନ୍ତୁ ଜାଣିବା ଏହାର ଦାମ କେତେ ରହିବ ଓ ଏହାର ବ୍ୟବହାର କିପରି ହେବ। ତେବେ ଏନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି।

ଟିକା ତିଆରି ହେବାଠୁ ଏହାକୁ ପ୍ୟାକେଜିଂ କରିବା ପର୍ଯ୍ୟନ୍ତ ମେସିନ୍‌ ହିଁ କରୁଛି। ଶିଶିଗୁଡ଼ିକୁ ଧୋଇବା ପରେ ଏଥିରେ ଭ୍ୟାକ୍‌ସିନ୍‌ ଭର୍ତ୍ତି କରାଯାଉଛି। ପରେ ପରେ ଶିଶିଗୁଡ଼ିକୁ ମେସିନ ଦ୍ବାରା ସିଲ୍‌ କରିଦିଆଯାଉଛି। ଏହା ପରେ ଶିଶିକୁ ସ୍କ୍ରିନିଂ ମେସିନ ଆଗରେ ଗତି କରାଯାଉଛି ବୋଲି ପୁନାଓ୍ବାଲା କହିଛନ୍ତି।

ଲୋକଙ୍କୁ କୋଭିସିଲ୍ଡ ଟିକାର ଦୁଇ ଡୋଜ୍‌ ଦିଆଯିବ। ଏହି ଦୁଇ ଡୋଜ୍‌ର ବ୍ୟବଧାନ ଘଣ୍ଟେ କି ଗୋଟିଏ ଦିନ ନୁହେଁ ବରଂ ଦୁଇରୁ ୩ ମାସ ପରେ ଦିଆଯିବ ବୋଲି ଆଦର ପୁନାଓ୍ବାଲା କହିଛନ୍ତି। ସିରିମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରତି ମିନିଟ୍‌ରେ ୫୦୦୦ ଶିଶିରେ ଭ୍ୟାକ୍‌ସିନ୍‌ ଭର୍ତ୍ତି ହେଉଛି। ଫେବୃଆରୀରେ ଏହି ସଂଖ୍ୟାରେ ବୃଦ୍ଧି ଘଟିବ। ପ୍ରତି ଶିଶିରେ ୧୦ ଡୋଜ୍‌ ରହିବ। ଯଦି ଗୋଟିଏ ଶିଶିର ସିଲ୍‌ ଖୋଲାଯାଏ ତେବେ ଏହାକୁ ୪ରୁ ୫ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଜରୁରୀ। ଏହା ସହ ସେ କହିଛନ୍ତି, ଭ୍ୟାକ୍‌ସିନ୍‌ର ୫୦ ମିଲିୟନ ଡୋଜ୍‌ ପ୍ରସ୍ତୁତ ସରିଛି।

ଅନ୍ୟପଟେ ଭ୍ୟାକ୍‌ସିନର ଦାମକୁ ନେଇ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି। ତେବେ ଏନେଇ ପୁନାଓ୍ବାଲା କହିଛନ୍ତି, ଭ୍ୟାକ୍‌ସିନକୁ ନେଇ ଦୁଇଟି ଦର ଧାର୍ଯ୍ୟ କରାଯାଇଛି। ଗୋଟିଏ ସରକାରୀ ଓ ଅନ୍ୟଟି ବେସରକାରୀ ଦାମ। ସରକାକାରଙ୍କ ପାଇଁ ପ୍ରତି ଡୋଜ୍‌ ୩ ଆମେରିକୀୟ ଡଲାର ଲାଗିବାକୁ ଥିବା ବେଳେ ଘରୋଇ ବ୍ୟବହାର ପାଇଁ ଭ୍ୟାକସିନ୍‌ ଦାମ ପ୍ରତି ଡୋଜକୁ ୭୦୦ରୁ ୮୦୦ ଟଙ୍କା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.