ସରକାରଙ୍କୁ ୨୦୦ ଏବଂ ଲୋକଙ୍କୁ ହଜାରେ ଟଙ୍କାରେ ମିଳିବ କୋଭିସିଲ୍ଡ କରୋନା ଟିକା- ଆଦର ପୁନାଓ୍ବାଲା
3/01/2021 at 9:31 PM

ନୂଆଦିଲ୍ଲୀ ୦୩/୦୧: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଭ୍ୟାକସିନ ଆସିଯାଇଛି। ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିସାରିଛି। କୋଭିସିଲ୍ଡ ଓ ସ୍ବଦେଶୀ କରୋନା ଟିକା କୋଭାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ପାଇଁ ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଟିକାକରଣକୁ ଅପେକ୍ଷା ରହିଛି। ଅନ୍ୟପଟେ କରୋନା ଭ୍ୟକସିନ୍ର ଦାମ ସାଧାରଣ ଲୋକଙ୍କ ପାଇଁ କେତେ ରହିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ରବିବାର ଭ୍ୟାକସିନ୍ ଦାମକୁ ନେଇ ସିରମ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାଓ୍ବାଲା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଅକ୍ସଫୋର୍ଡ ଭ୍ୟାକ୍ସିନ୍ ସରକାରଙ୍କୁ ୨୦୦ ଟଙ୍କାରେ ଦିଆଯିବାକୁ ଥିବା ବେଳେ ଲୋକମାନଙ୍କୁ ଏହି ଟିକା ୧୦୦୦ ଟଙ୍କାରେ ମିଳିବ।
ପୁନେରେ ସିରମ ଇନ୍ଷ୍ଟିଚ୍ୟୁଟ୍ରେ ଆକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ପ୍ରସ୍ତୁତ ଚାଲିଛି। ରବିବାର ଡ୍ରଗ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ଦେଇଛନ୍ତି। ଭାରତରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।
ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭ୍ୟାକ୍ସିନ୍ର ଡ୍ରାଏ ରନ୍ କରାଯାଇଛି। ଭାରତ ସରକାରଙ୍କ ବ୍ୟତୀତ ୟୁରୋପୀୟ ସଂଘ ଭ୍ୟାକ୍ସିନ୍ ନିର୍ମାତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି। ଭ୍ୟାକ୍ସିନ୍ ନିର୍ମାଣ ବୃଦ୍ଧି କରିବା ଓ ବିତରଣ କ୍ଷେତ୍ରରେ ଇୟୁ ସାହାଯ୍ୟ କରିବ ବୋଲି ଜଣାପଡ଼ିଛି।
ବିଶ୍ବର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାତା ସିରମ ଇନ୍ଷ୍ଟିଚ୍ୟୁଟ୍ ପ୍ରତି ମାସରେ ୫୦ରୁ ୬୦ ମିଲିୟନ କୋଭିସିଲ୍ଡ ଡୋଜ୍ ପ୍ରସ୍ତୁତ କରୁଛି। ଫାଇଜର-ବାୟୁଏନଟେକ୍ ଟିକା ଠାରୁ କୋଭିସିଲ୍ଡ ଶସ୍ତା ଓ ପରିବହନ ପାଇଁ ସହଜ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି। ମୁଖ୍ୟ କଥା ହେଉଛି ୨୦୨୧ ମଧ୍ୟ ଭାଗ ସୁଦ୍ଧା ଭାରତ ସରକାର ୧୩୦ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି।