ଆଜିଠୁ ବୁର୍ଲା ଭିମସାରରେ ହେବ କରୋନା ଟେଷ୍ଟ :୨ଟି ସିଫ୍ଟରେ ୯୦ ଜଣଙ୍କର ନମୁନା ପରୀକ୍ଷା, NITରୁ ଆଉ ମେସିନ ଆସିବା ପରେ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ

Published By : Prameya-News7 Bureau | April 19, 2020 IST

ସମ୍ବଲପୁର ୧୯।୦୪: ଆଜିଠୁ ବୁର୍ଲା ଭିମସାରରେ ହେବ କରୋନା ଟେଷ୍ଟ । ୨ଟି ସିଫ୍ଟରେ ୯୦ ଜଣଙ୍କର ସାମ୍ପଲ ଟେଷ୍ଟ କରାଯିବ । ପ୍ରତି ସିଫ୍ଟରେ ୪୫ ଜଣଙ୍କର ଟେଷ୍ଟ କରାଯିବ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏଥିପାଇଁ NITକୁ ଆଉ ୨ଟି ମେସିନ୍ ମଗାଯାଇଛି । ମେସିନ୍ ଆସିବା ପରେ ଆହୁରି ଅଧିକ ଟେଷ୍ଟ କରାଯାଇ ପାରିବ । ଗତ ୧୫ ତାରିଖରୁ ଭିମସାରରେ କରୋନା ଟେଷ୍ଟିଂ ହେବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଭିତ୍ତିଭୂମି ଅଭାବରୁ ପରୀକ୍ଷଣ ଆରମ୍ଭ ହୋଇପାରୁନଥିଲା । ତେବେ ଆଜିଠୁ କରୋନା ଟେଷ୍ଟ ହୋଇପାରିବ ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାଛଡ଼ା ସମ୍ବଲପୁର ସଦର ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌ ଡାକ୍ତରଖାନା କିପରି ତୁରନ୍ତ କାର୍ଯ୍ୟକ୍ଷମ ହେବ ସେନେଇ ସମୀକ୍ଷା କରିଛନ୍ତି ।

{"id":255942,"sizeSlug":"large"}

ଶନିବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ଭିମସାର୍‌ ପରିସରରେ ପହଞ୍ଚିଥିଲେ । ଏହି ସମୟରେ ଜିଲ୍ଲାପାଳ ଶୁଭମ ସକ୍ସେନା, ଭିମସାର୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁ, ଅଧ୍ୟକ୍ଷ ପ୍ରଫେସର ବି.ଏମ୍‌. ମିଶ୍ର, ଅଧୀକ୍ଷକ ଡା. ଜୟଶ୍ରୀ ଦୋରା, କୋଭିଡ୍‌ ନୋଡାଲ ଅଫିସର ଡା. ସୁଦର୍ଶନ ପୋର୍ଥାଲ, କନିଷ୍ଠ ଡାକ୍ତର ସଂଘ ସଭାପତି ଡା. ସଂଜିବ ମିଶ୍ର ପ୍ରମୁଖଙ୍କ ସହିତ କୋଭିଡ୍‌ ପରୀକ୍ଷା ଏବଂ ଚିକିତ୍ସା ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସକ୍ସେନା କୋଭିଡ୍‌ ହସ୍ପିଟାଲ୍‌ ଓ ପରୀକ୍ଷା କେନ୍ଦ୍ର ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମନ୍ତ୍ରୀ ସୂଚନା ଦେଇଥିଲେ ।

{"id":256497,"sizeSlug":"large"}

ଭିମସାର୍‌ କୋଭିଡ୍‌-୧୯ ପରୀକ୍ଷାଗାରରେ ପ୍ରଥମ ପର୍ଯ୍ୟାୟରେ ଦିନକୁ ୯୦ଟି ନମୁନା ପରୀକ୍ଷା ହେବାର କ୍ଷମତା ରହିଛି । ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ ଭିମସାର୍‌ କର୍ତ୍ତୃପକ୍ଷ ସମସ୍ତ ନିଯୁକ୍ତି ଓ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି । ଆର୍‌ଟିପିସିଆର୍‌ କୋଭିଡ୍‌ ରକ୍ତ ପରୀକ୍ଷାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍‌ସିବିରୁ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ଭିମ୍‌ସାରକୁ ପଠାଯାଇଛି । ଏହାଛଡ଼ା ଖୁବ୍‌ଶୀଘ୍ର ଏନ୍‌ଆଇଟି ରାଉରକେଲାରୁ ଆଉ ୨ଟି ଆର୍‌ଟିପିସିଆର୍‌ ମେସିନ୍‌ ଆସିଲେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଭିମସାର୍‌ ଆଇସୋଲେସନ୍‌ କେନ୍ଦ୍ରରେ ଡାକ୍ତରଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟର ଅନ୍ୟ କୌଣସି କେନ୍ଦ୍ରରୁ ଏଭଳି ଅଭିଯୋଗ ଆସୁନଥିବା ବେଳେ ଭିମସାରରେ କାହିଁକି ଏଭଳି ଅଭିଯୋଗ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ ।

{"id":73908,"sizeSlug":"large"}

ମନ୍ତ୍ରୀ ଶ୍ରୀ ଦାସ ଆଇସୋଲେସନ୍‌ କେନ୍ଦ୍ରରେ ମଧ୍ୟ ସ୍ଥିତି କ’ଣ ରହିଛି ସେନେଇ ଯାଞ୍ଚ କରିଥିଲେ । ଯେଉଁ ଡାକ୍ତର ଓ କର୍ମଚାରୀମାନେ କୋଭିଡ୍‌ ଡ୍ୟୁଟିରେ ରହୁଛନ୍ତି ସେମାନଙ୍କର ରହିବା, ଯିବା ଆସିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ବାୟୋମେଡିକାଲ ସେଫ୍ଟି ଓ ଇନ୍‌ଜେକ୍ସନ୍‌ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍‌ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକୀୟ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଖୋଦ୍‌ କର୍ତ୍ତୃର୍ପକ୍ଷ ହିଁ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ସେହିଭଳି ସମ୍ବଲପୁର କୋଭିଡ୍‌ ହସପିଟାଲକୁ ଭିମ୍‌ସାରରୁ ଯିବାକୁ ଥିବା ୫୦ ଜଣିଆ ଡାକ୍ତରୀ ଦଳଙ୍କ ମଧ୍ୟରେ ଅଭିଜ୍ଞତାପୂର୍ଣ ଓ ବରିଷ୍ଠ ଡାକ୍ତରଙ୍କ ସଂଖ୍ୟା ଅଧିକ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

{"id":254531,"sizeSlug":"large"}

ସେପଟେ ଭିମସାରରେ ସମସ୍ତ ଔଷଧ, ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ), ମାସ୍କ, ପରୀକ୍ଷଣ କିଟ୍‌ ଓ ଆନୁସଙ୍ଗିକ ସରଞ୍ଜାମ ଉପଲବ୍ଧ କରାଇବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ । ପରେ ସମ୍ବଲପୁର ସଦର ଡାକ୍ତରଖାନା ପରିସରରେ ସ୍ଥାପିତ କୋଭିଡ୍‌ ଡାକ୍ତରଖାନାକୁ ମନ୍ତ୍ରୀ ଶ୍ରୀ ଦାସ ପରିଦର୍ଶନ କରିଥିଲେ । ଏଠାକାର ଭିତ୍ତିଭୂମିକୁ ଅନୁଧ୍ୟାନ କରିବା ସହିତ ଚିକିତ୍ସା ଦିଗରେ ଆଉ କ’ଣ ସମସ୍ୟା ରହିଛି ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶଶୀଭୂଷଣ ପଟେଲଙ୍କୁ ପଚାରି ବୁଝିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସକ୍ସେନା, ନୋଡାଲ୍‌ ଅଫିସର ତଥା ଏଡିଏମ୍‌ଓ ଡାକ୍ତର ଅଶୋକ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.