ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ : ୨୪ ଘଣ୍ଟା ମଧ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୨୮୧ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | April 13, 2021 IST

ମୁମ୍ବାଇ ୧୩/୦୪ : ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ଦେଶରେ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୦ ହଜାର ୨୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨୮୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତ ସୋମବାର ଦିନ ୫୧ ହଜାର ୭୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିଭଳି ରବିବାର ଦିନ ୬୩ ହଜାର ୨୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଡିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଉଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୧ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭୯ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୮ଶହ ଟପିଛି । ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ହଜାର ୪୫୩ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.