୨୦୨୦ ମସିହାର ୧୦ ବୈଜ୍ଞାନିକ ଉପଲବ୍ଧି ମଧ୍ୟରେ କରୋନା ଭାକ୍ସିନ ପ୍ରଥମ: ସାଇନ୍ସ ମ୍ୟାଗଜିନ
19/12/2020 at 9:59 PM

ନ୍ୟୁୟର୍କ : ଆମେରିକୀୟ ପତ୍ରିକା ‘ସାଇନ୍ସ’ ୨୦୨୦ ମସିହାର ୧୦ଟି ବୈଜ୍ଞାନିକ ସଫଳତା ସାର୍ବଜନିକ କରିଛନ୍ତି। ଏଥିରେ ମାନବ ସଭ୍ୟତାର ରକ୍ଷା ଲାଗି କରୋନା ଭାକ୍ସିନ ଅନୁସନ୍ଧାନ ଓ ବିକାଶକୁ ଶୀର୍ଷ ସ୍ଥାନ ଦେଇଛନ୍ତି। ଚୀନ୍, ଆମେରିକା ଓ ୟୁରୋପ ଆଦି ଦେଶରେ ଟିକା ଲାଗି ଗବେଷଣା କରାଯାଇଥିଲା। ୨୦୨୦ ମସିହା ପ୍ରାରମ୍ଭିକ ଦିନମାନଙ୍କରେ ଭୂତାଣୁର ଜିନୋମ ମିଳିବା ପରେ ବୈଜ୍ଞାନିକ ମାନେ ଟିକା ଲାଗି ଗବେଷଣା ଆରମ୍ଭ କରିଥିଲେ।
ଚୀନ୍ ଉହାନ ସହରରେ ପ୍ରଥମେ କରୋନା ଭାଇରସ ମହାମାରୀ ଦେଖା ଦେଇଥିଲା। ୨୦୧୯ ମସିହା ଶେଷ ଭାଗକୁ ଆସିଥିବା ଏହି ସଂକ୍ରମଣ ପ୍ରତି ପ୍ରଥମେ ଏତେଟା ଗୁରୁତ୍ୱ ଦିଆଯାଇନଥିଲା। ହେଲେ ଦେଶକୁ ଦେଶ ବ୍ୟାପିବା ସହ କ୍ରମଶଃ ସବଳ ରହିବା ପରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା। ସଂକ୍ରମଣ ଜନିତ ମୃତ୍ୟୁକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏହାକୁ ବୈଶ୍ୱିକ ମହାମାରୀ (ପାଣ୍ଡାମିକ) କହିଥିଲେ।
ଏମିତିରେ କୌଣସି ଟିକା ଗବେଷଣା ଲାଗି ଦୀର୍ଘବର୍ଷ ଲାଗିଯାଇଥାଏ। ହେଲେ କରୋନା ସଂକ୍ରମଣ ଓ ଏହା ଯୋଗୁ ହେଉଥିବା ମୃତ୍ୟୁ ଲାଗି ବିଶ୍ୱର ଚିକିତ୍ସାବିଜ୍ଞାନୀମାନେ ଦିନରାତି ଏକ କରି ଗବେଷଣାରେ ଲାଗିପଡିଥିଲେ। ଯାହାର ପରିଣାମ ୨୦୨୦ ବର୍ଷ ଶେଷ ହେବା ପୂର୍ବରୁ ବିଶ୍ୱର କେତେକ ଦେଶରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଚିକିତ୍ସା ସାଙ୍ଗକୁ ମାନବ ସଭ୍ୟତା ଲାଗି ସବୁଠୁ ବଡ ଉଦଭାବନ ବୋଲି କହିଛି ସାଇନ୍ସ ମ୍ୟାଗଜିନ୍।
ସମ୍ମିଳିତ ଶକ୍ତି ହିଁ ଏହି ଟିକା ଗବେଷଣାରେ ସହାୟକ ହୋଇଛି ବୋଲି ସାଇନ୍ସ ମ୍ୟାଗଜିନ ଉଲ୍ଲେଖ କରିଛି। ନଚେତ ଏଭଳି କେବେ ବି ହୋଇନି ଯେତେବେଳେ ସମାନ ଶତ୍ରୁ ବିରୋଧରେ ବିଶ୍ୱର ବୈଜ୍ଞାନିକମାନେ ଏକ ହୋଇ କାମ କରିଛନ୍ତି। ପାରସ୍ପାରିକ ଗବେଷଣା ଲବ୍ଧ ତଥ୍ୟର ସୂଚନା ଆଦାନ ପ୍ରଦାନ ଯୋଗୁ ମାତ୍ର ବର୍ଷକରେ ଭୂତାଣୁ ମୁକାବିଲା ଲାଗି ଆମକୁ ଟିକା ମିଳିପାରିଥିବା ମ୍ୟାଗଜିନ ଉଲ୍ଲେଖ କରିଛି।