କରୋନା ଭାକସିନ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶର ସବୁ ରାଜ୍ୟରେ ଜାନୁଆରୀ ୨ରେ ହେବ ଡ୍ରାଏ ରନ୍
31/12/2020 at 3:06 PM

ନୂଆଦିଲ୍ଲୀ, ୩୧|୧୨: ଭାରତରେ କରୋନା ଭାକସିନ୍ ପାଇଁ ଏବେ ଆଉ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ୨୦୨୧ ପ୍ରଥମ ୨ରୁ ୩ ମାସ ମଧ୍ୟରେ ଭାକସିନ୍ ଆସିଯିବାର ସମ୍ଭାବନା ରହିଛି । ବୁଧବାର ଅନୁଷ୍ଠିତ ହୋଇଥିବା ଏସଇସି ବୈଠକ ଓ ଗୁରୁବାର ଆୟୋଜିତ ଡିସିଜିଆଇ ବୈଠକରେ ଡାକ୍ତର ବିଜି ସୋମାନୀ ଭାକସିନ୍ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି । ନୂଆ ବର୍ଷରେ ସେମାନେ ଖାଲି ହାତ ହେବେ ନାହିଁ ବୋଲି କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସରକାର ପୂର୍ବରୁ ୮୩ କୋଟି ସିରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ୍ ଆହୁରି ୩୫ କୋଟି ସିରିଞ୍ଜ୍ ଅର୍ଡର କରାଯିବ । ଏହାକୁ କୋଭିଡ୍ ଟିକାକରଣ ପାଇଁ ଉପଯୋଗ କରାଯିବ । ଏହାସହ ଜାନୁଆରୀ ୨ରୁ ଦେଶର ସବୁ ରାଜ୍ୟରେ ଡ୍ରାଇ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍କେତ ଦେଇଥିଲେ ଯେ, ଦେଶରେ ଖୁବ ଶୀଘ୍ର ଟିକାକରଣ ଆରମ୍ଭ ହେବ ।ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଟିକା ଆସିବା ପରେ ଲୋକମାନେ ବେପାରୁଆ ହେବା ଅନୁଚିତ । ରାଜକୋଟ ଏମ୍ସର ଏକ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ,ଦେଶରେ କରୋନାର ନୂଆ ମାମଲା ହ୍ରାସ ପାଇଛି । ଭାକସିନ୍ ନ ଆସିଲା ଯାଏଁ ବେପାରୁଆ ହେବା ଅନୁଚିତ । ଏହାସହ ଦେଶରେ ଟିକାକରଣର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ସେ କହିଛନ୍ତି ।