ଭାରତରେ ବଦଳିବନି କୋଭିଡ ଟ୍ରିଟ୍ମେଣ୍ଟ ପ୍ରୋଟୋକଲ: NTF
26/12/2020 at 11:00 PM

ନୂଆଦିଲ୍ଲୀ ୨୬।୧୨: ବ୍ରିଟେନରେ ବ୍ୟାପୁଥିବା କୋଭିଡ ଭୂତାଣୁ ନୂଆ ଷ୍ଟ୍ରେନ ପରିପ୍ରେକ୍ଷୀରେ ଭାରତର କୋଭିଡ ଚିକିତ୍ସାରେ କୌଣସି ପରିବର୍ତ୍ତନ ହେବନି। ଶନିବାର ଅନୁଷ୍ଠିତ ନ୍ୟାସନାଲ ଟାସ୍କଫୋର୍ସ(ଏନଟିଏଫ) ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦେଶରେ ସାର୍ସ କୋଭ-୨ର ପରୀକ୍ଷଣ, ମନିଟରିଂ ଓ ସର୍ଭିଲାନ୍ସ ଷ୍ଟ୍ରାଟେଜିରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତାକୁ ଅଶ୍ୱୀକାର କରାଯାଇଛି। ବ୍ରିଟେନ ଷ୍ଟ୍ରେନ୍ରେ ମ୍ୟୁଟେସନକୁ ନଜରରେ ରଖି ଏହି ନିଷ୍ପତ୍ତି ହୋଇଥିବା ବେଳେ ଟ୍ରିଟ୍ମେଣ୍ଟ ପ୍ରଟୋକଲରେ ପରିବର୍ତ୍ତନର ଆବଶ୍ୟକତା ନଥିବା କୁହାଯାଇଛି।
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମଆର)ଙ୍କ ଦ୍ୱାରା ଆହୁତ ଏନଟିଏଫ ବୈଠକରେ ନୀତି ଆୟୋଗ ସଦସ୍ୟ ଡା. ବିନୋଦ ପାଲ, ଆଇସିଏମଆର ମହାନିର୍ଦ୍ଦେଶକ ଡା.ବଲରାମ ଭାର୍ଗବ, ଏମ୍ସ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ, ଡାଇରେକ୍ଟର ଡ୍ରଗ କଣ୍ଟ୍ରୋଲର ଇଣ୍ଡିଆ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନସିଡିସି) କାର୍ଯ୍ୟକର୍ତ୍ତାଙ୍କ ସମେତ କେତେକ ବିଶେଷଜ୍ଞ ମଧ୍ୟ ଯୋଗଦେଇଥିଲେ।
ବୈଠକରେ ବ୍ରିଟେନ ନୂଆ ପ୍ରକାର ଭୂତାଣୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ସହ ଦେଶର ପରୀକ୍ଷଣ ବ୍ୟବସ୍ଥା ଓ ଚିକିତ୍ସା ପ୍ରଣାଳୀ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏଥିରେ ଆଇସିଏମଆରଙ୍କ ୨ ଓ ଅଧିକ ଜିନ୍କୁ ନେଇ ପରୀକ୍ଷଣ ସମ୍ପର୍କିତ ପରାମର୍ଶ ଉପରେ ମଧ୍ୟ ବିଚାର ହୋଇଥିଲା। ସେପଟେ ବ୍ରିଟେନ ରିପୋର୍ଟ କରିଥିବା ଭୂତାଣୁ ମ୍ୟୁଟେସନ ନେଇ ଭାରତ ସରକାର ଅନ୍ୟ ଦେଶଙ୍କ ସହ ସମ୍ପର୍କରେ ଥିବାର କୁହାଯାଇଥିଲା। ଏଣୁ ପରିସ୍ଥିତି ଉପରେ ଲଗାତର ନଜର ରଖା ଯାଇଥିବା ଓ ମ୍ୟୁଟେଣ୍ଟ ଭେରିଏଣ୍ଟର ସନ୍ଧାନ ଓ ପ୍ରତିରୋଧ ଲାଗି ବିଭିନ୍ନ ଉପାୟ ନେଇ ମଧ୍ୟ ଚର୍ଚ୍ଚା ହୋଇଛି।