କରୋନାର କରାଳ ରୂପ: ଦେଶରେ ମହାମାରୀ ନେଲାଣି ୧୦୦୦ରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫/୫: ଭାରତ ସମେତ ପୂରା ଏସିଆ ମହାଦେଶରେ କରୋନା ପ୍ରକୋପ ଜାରି ରହିଛି। ବିଶେଷ କରି ଭାରତରେ କରୋନାର ଦ୍ବିତୀୟ ଲହର ସଂହାରଲୀଳା ଚଳାଇଛି। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଟଙ୍କା ଲେଣ-ଦେଣ ପାଖରୁ ଋଣ ପର୍ଯ୍ୟନ୍ତ ସାଧାରଣ ଗରିବ ଲୋକଠୁ ଧନୀ ଯାଏ ସମସ୍ତ ସେବାରେ ସବୁବେଳେ ତତ୍ପର ଜଣେ ବ୍ୟାଙ୍କ କର୍ମଚାରୀ । ସେ ବି କରୋନା କୋପରୁ ବର୍ତ୍ତି ପାରୁନାହିଁ। ଭାରତରେ ୧୦୦୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ନେଇଛି କରୋନା। ଏହା ସହ ଅନେକ କର୍ମଚାରୀ ଏବେ କରୋନା ସହ ଲଢ଼େଇ କରୁଛନ୍ତି।

ଭାରତର ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ୧୦୦୦ରୁ ଅଧିକ କର୍ମଚାରୀଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି। ମାନବ ସମାଜ ପାଇଁ ଅଭିଶାପ ହୋଇ ଉଭା ହୋଇଥିବା କରୋନା ଭୂତାଣୁ ଧନୀ-ଗରିବ କିମ୍ବା ବଡ଼ ସାନର ଭେଦଭାବ କରୁନାହିଁ। ପିଲାଠୁ ବୁଢ଼ା ସମସ୍ତେ କରୋନାରେ ଶିକାର ହେଉଛନ୍ତି। କିଏ ଲଢ଼େଇରେ ବିଜୟୀ ହେଉଛି ତ ପୁଣି କିଏ ସଂଘର୍ଷରେ ହାରିଯାଉଛି। ତେବେ ହଜାରେରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଏସ୍‌ ନାଗରାଜନ୍‌ ସୂଚନା ଦେଇଛନ୍ତି।

ବ୍ୟାଙ୍କ କର୍ମଚାରୀମାନେ ଆଗଧାଡ଼ିର କରୋନା ଯୁଦ୍ଧା ହୋଇଥିବା ବେଳେ କରୋନାରେ ଶିକାର ହେଉଥିବା ନେଇ ମଧ୍ୟ ବ୍ଲୁମ୍‌ବର୍ଗକୁ କହିଛନ୍ତି ନାଗରାଜନ। ଭାରତରେ କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ୍‌ ଲାଗିଛି। ଲକ୍‌ଡାଉନ୍‌ ସମୟରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ସେବା ଯୋଗାଉଛନ୍ତି। କିଛି ମାନଦଣ୍ଡ ସହ ବ୍ୟାଙ୍କ ଚାଲୁଥିବା ବେଳେ କିଛି ସ୍ଥାନରେ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ବ୍ୟାଙ୍କ କାର୍ଯ୍ୟ କରୁଛି। ଅନ୍ୟପଟେ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସିଏଚ୍‌ ଭେଙ୍କଟଚାଲମ କହିଛନ୍ତି, ୧୨୦୦ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି। ଅନକେ କର୍ମଚାରୀ ଏମିତି ଅଛନ୍ତି ଯେଉଁମାନେ ନିଜ ପରିବାର ପାଇଁ କୌଣସି ପ୍ରକାର ବିମା କରିନଥିଲେ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.