ନୂଆଦିଲ୍ଲୀ ୧୭/୦୬ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଧୀରେ ଧୀରେ ଦୁର୍ବଳ ହେଉଛି କିନ୍ତୁ ସଙ୍କଟ ଏପର୍ଯ୍ୟନ୍ତ କମିନାହିଁ। ଦେଶର ଅନେକ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ବୁଧବାର ଦିନ ଦେଶରେ ୬୭ ହଜାର ୨୦୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୩୦ ରୋଗୀଙ୍କ ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ ମାମଲା ରହିଛି। କରୋନା ସଂକ୍ରମଣ ହାସ ପାଉଛି କିନ୍ତୁ ୪ ଟି ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ରହିଛି। ଦେଶରେ ସମୁଦାୟ ସକ୍ରିୟ ମାମଲାର ଅଧା ଏହି ରାଜ୍ୟଗୁଡିକରୁ ଆସିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କର୍ଣ୍ଣାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୬୬ ରହିଛି। ମହାରାଷ୍ଟ୍ରରେ ଏବେବି ୧ ଲକ୍ଷ ୩୬ ହଜାର ୬୬୧ ଆକ୍ଟିଭ ମାମଲା ଅଛି। ଏହା ବ୍ୟତୀତ ତାମିଲନାଡୁରେ ୧.୧୪ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ଥିବାବେଳେ କେରଳରେ ୧ ଲକ୍ଷ ୯ ହଜାର ୭୯୯ ଆକ୍ଟିଭ ରୁଜୁ ରହିଛି। ଏହି ରାଜ୍ୟଗୁଡିକ ବ୍ୟତୀତ, ଏପରି ଅନେକ ରାଜ୍ୟ ଅଛି ଯାହା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଆନ୍ଧ୍ରପ୍ରଦେଶରେ ଏବେ ମଧ୍ୟ ୭୧ ହଜାରରୁ ଅଧିକ ଆକ୍ଟିଭ ମାମଲା ରହିଛି। ଯଦି ଏହି ରାଜ୍ୟଗୁଡ଼ିକର ଆକ୍ଟିଭ ମାମଲା ଦେଖାଯାଏ ତାହେଲେ ସେମାନଙ୍କର ସଂଖ୍ୟା ୫.୮୦ ଲକ୍ଷ ପାଖାପାଖି ଯାହା ସମୁଦାୟ ଆକ୍ଟିଭ ମାମଲାର ପ୍ରାୟ ୭୦ ପ୍ରତିଶତ।
ଦ୍ୱିତୀୟ ଲହରର ପ୍ରଭାବ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଦେଖାଯାଉଛି। କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ମାମଲାରେ କର୍ଣ୍ଣାଟକ ଏଥର ମହାରାଷ୍ଟ୍ରକୁ ପଛରେ ପକାଇଦେଇଛି। ଓଡିଶାରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଯାହା ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୪୨ ହଜାରରୁ ଅଧିକ ଥିବାବେଳେ ଆସାମରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ପ୍ରାୟ ୩୮ ହଜାର ବୋଲି କୁହାଯାଉଛି।